ଦ୍ବିତୀୟା ଘାଣ୍ଟ ଖାଇ ବିସର୍ଜନ ହେବେ କଟକର ବୁଢା ଗଣେଶ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): କଟକ ସହରରେ ଦ୍ବିତୀୟା ଘାଣ୍ଟ ଖାଇବା ପରେ ବୁଢା ଗଣେଶଙ୍କ ବିସର୍ଜନ ହେବାର ବିଧି ଥିବା ବେଳେ ଏହି ପରମ୍ପରା ପାଳନ ପରେ ତା ପରବର୍ତ୍ତୀ ରବିବାରରେ ବୁଢା ଗଣେଶ ବିସର୍ଜନ ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୫ ତାରିଖରେ ବୁଢା ଗଣେଶଙ୍କ ବିସର୍ଜନ ପାଇଁ ଅନୁମତି ଲୋଡି କଟକ ନଗର ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏହି ଆବେଦନକୁ ଗ୍ରହଣ କରି ପରମ୍ପରା ଓ ବିଧିକୁ ବଜାୟ ରଖିବାକୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ଏହି ମାମଲା ପରିଚାଳନା କରୁଥିଲେ। ବକ୍ସିବଜାର ବଣିଆସାହି ଶ୍ରୀବୁଢା ଗଣେଶ ଘାଣ୍ଟଖିଆ ଗଣେଶଙ୍କ ପୂଜା ୬ଶହ ବର୍ଷ ହେବ ଚାଲି ଆସିଛି। ୨୦୧୫ ସେପ୍ଟେମ୍ବର ୧୬ରେ ହାଇକୋର୍ଟ ଗଣେଶ ମୂର୍ତ୍ତି ବିସର୍ଜନ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଗଣେଶ ପୂଜା ପରେ ଲଗାତାର ତିନୋଟି ରବିବାର ଗଣେଶ ଭସାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଗଣେଶପୂଜା ଅଗଷ୍ଟ ୩୧ରେ ହୋଇଥିବା ବେଳେ ସେପ୍ଟେମ୍ବର ୪(ରବିବାର) ଦିନ ବିଭିନ୍ନ ମଣ୍ଡପର ଗଣେଷ ମୂର୍ତ୍ତି ବିସର୍ଜନ ହୋଇଛି। ସେହିଭଳି ଭାବେ ଯେଉଁ ମଣ୍ଡପରେ ଗଣେଶଙ୍କ ସମ୍ମୁଖରେ ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ପାଳନ ବିଧି ରହିଛି ସେଠାରେ ସେପ୍ଟେମ୍ବର ୧୧(ରବିବାର) ଦିନ ବିସର୍ଜନ ପାଇଁ ତାରିଖ ଧାର୍ଯ୍ୟ କରାଯାଉଛି। କିନ୍ତୁ ସହରରେ ବୁଢା ଗଣେଶ ମାନସିକ ପୂଜା ମଣ୍ଡପ ୧୪ରୁ ୨୦ଟି ରହିଛି। ଏହି ସବୁ ମଣ୍ଡପ‌ ପାଇଁ ବିସର୍ଜନ ତାରିଖ ସେପ୍ଟେମ୍ବର ୧୮(ରବିବାର) ଧାର୍ଯ୍ୟ କରିଥିଲା କମିଶନରେଟ ପୋଲିସ।

ଅନ୍ୟପକ୍ଷରେ ଦ୍ବିତୀୟା ଘାଣ୍ଟ ଓଷା ସେପ୍ଟେମ୍ବର ୧୮ରେ ପଡୁଛି। ଏହି ସବୁ ଗଣେଶ ମଣ୍ଡପରେ ଗଜାନନ ଘାଣ୍ଟ ଭୋଗ ଖାଇବା ସହ ଘା‌ଣ୍ଟ ଓ ଅନ୍ନ ପ୍ରସାଦ ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ। ଏଭଳି ସ୍ଥିତିରେ ସେପ୍ଟେମ୍ବର ୨୫ରେ ବୁଢା ଗଣେଶଙ୍କ ବିସର୍ଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଆବେଦନକାରୀ ଦର୍ଶାଇ ଏହି ମାମଲା ରୁଜ୍ଜୁ କରିଥିଲେ। ବିଧି ଓ ରୀତିନୀତିକୁ ରକ୍ଷା କରି ଦ୍ଵିତୀୟା ଘାଣ୍ଟ ଭୋଗ ସରିବା ପରେ ପରବର୍ତ୍ତୀ ରବିବାର ଅର୍ଥାତ ସେପ୍ଟେମ୍ବର ୨୫ ରେ ଏହି ମୂର୍ତ୍ତି ବିସର୍ଜନ କରିବା ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି।