ବାତ୍ୟା ଫନି ପାଇଁ ସହାୟତା ରାଶି ଦେଲା କେନ୍ଦ୍ର, ମିଳିଲା ୩ ହଜାର ୩୩୮ କୋଟି ୨୨ ଲକ୍ଷ ଟଙ୍କା

ମେ ମାସ ୩ ତାରିଖ। ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି। ପୁରୀରେ ଲ୍ୟାଣ୍ଡଫଲ୍‌ କରିଥିଲା। ପ୍ରଳୟଙ୍କରୀ ବାତ୍ୟାରେ ଖିନ୍‌ଭିନ୍‌ ହୋଇଥିଲା ପୁରୀ ଓ ଖୋର୍ଦ୍ଧା ଜିଲ୍ଲା। ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ମୋଟ୍‌ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରିଥିଲେ ରାଜ୍ୟ ସରକାର। ପୁନରୁଦ୍ଧାର ପାଇଁ ୨୯ ହଜାର ୩୧୫ କୋଟି ଟଙ୍କାର ଆବଶ୍ୟକତା ନେଇ ଅନୁମାନ କରାଯାଇଥିଲା।

ବାତ୍ୟା ଫନି ପାଇଁ ସହାୟତା ରାଶି ଦେଲା କେନ୍ଦ୍ର । ମିଳିଲା ୩ ହଜାର ୩୩୮ କୋଟି ୨୨ ଲକ୍ଷ ଟଙ୍କା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏହି ଅର୍ଥ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ବୈଠକ ପରେ NDRFରୁ ସହାୟତା ଘୋଷଣା କରାଯାଇଛି। ପୁନରୁଦ୍ଧାର କାର୍ଯ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ। ପ୍ରାଥମିକ ଭାବରେ ଫନି କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫ ହଜାର ୨୨୭ କୋଟି ଟଙ୍କା କେନ୍ଦ୍ର ନିକଟରେ ଦାବି କରିଥିଲେ।

ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ୧ କୋଟି ୬୫ ଲକ୍ଷ ଲୋକ। ଫନି ମୁକାବଲା ପାଇଁ କେନ୍ଦ୍ର ସରକାର ୩୪୦ କୋଟି ୮୭ ଲକ୍ଷ ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରିଥିଲେ। ଏହାପରେ ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁନରୁଦ୍ଧାର ଓ ଥଇଥାନ କାମ ପାଇଁ ଆଉ ଏକ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକଂପା ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା ସମେତ କର୍ଣ୍ଣାଟକ ଓ ହିମାଚଳପ୍ରଦେଶ ପାଇଁ ମୋଟ୍‌ ୪ ହଜାର ୪୩୨ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।