ପାଳନ ହେଲା କୁମାର ପୂର୍ଣ୍ଣମୀରେ କୁମାରୀ ବାହାଘରର ନିଆରା ପରମ୍ପରା

ଭଲ ବର ଟିଏ ପାଇବା ପାଇଁ କୁମାରୀ ମାନେ ଶରତ ପୂର୍ଣ୍ଣମୀ ତିଥିରେ କୁମାର ଉତ୍ସବ ପାଳନ କରି ଆସୁଛନ୍ତି । ଓଡ଼ିଶାର କୋଣ ଅନୁକୋଣରେ ଏହି ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି । କିନ୍ତୁ ସେହି କୁମାର ପୂର୍ଣ୍ଣିମା ତିଥିରେ ଯେ କୁମାରୀ ମାନଙ୍କ ବାହାଘର ହେବା ଏକ ନିଆରା ପରମ୍ପରା । ଏମିତି ହିଁ ଏକ ନିଆରା ଉତ୍ସବ ପାଳନ ହୁଏ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ଜଟଣୀ ଅଞ୍ଚଳରେ । ବାହାଘର ତିଥି ନଥାଇ ମଧ୍ୟ କୁମାର ପୂର୍ଣ୍ଣମୀ ଦିନ ଏଠାରେ କୁମାରୀ ମାନଙ୍କ ବାହାଘର ଅନୁଷ୍ଠିତ ହୋଇଥାଏ ।ଏହି ବାହା ଘର ଉତ୍ସବକୁ ଗାଁର କୁମାରୀ ମାନେ ହିଁ ପରିଚାଳନା କରିଥାନ୍ତି ।

ପୁରା ବୈଦିକ ରୀତିନୀତି ଅନୁଯାୟୀ ଏଠାରେ ବାହାଘର ହୋଇଥାଏ । ସେମିତି ହିଁ  କୁମାରୀ ବିବାହ ଗତକାଲି ପୂର୍ଣ୍ଣମୀ ତିଥିରେ ହୋଇଥିଲା । ରବିବାର ସନ୍ଧ୍ୟାରେ ବାଣ ଫୁଟାଇ, ବାଜା ବଜାଇ, ବରଯାତ୍ରୀ ମାନେ ରାସ୍ତାରେ ନାଚି ନାଚି ଯାଇ କନ୍ୟା ଘରେ ପହଞ୍ଚିଥିଲେ । କନ୍ୟା ଘର ମଧ୍ୟ ବାଟ ବରଣୀ କରି ବର ପକ୍ଷର ସ୍ୱାଗତ କରିଥିଲେ । ଏମିତିକି ସତସତିକା ହାତଗଣ୍ଠି ପଡି ବର କନ୍ୟାଙ୍କ ବାହାଘର ହୋଇଥିଲା । ଖାଲି ସେତିକି ନୁହେଁ କଉଡ଼ି ଖେଳ, ମହିଳା ମାନଙ୍କ ହୁଳହୁଳିରେ ଗାଁ ଦାଣ୍ଡ ଯେମିତି ଉଠିଲା ପଡିଲା ।

ଶେଷରେ ଭୋଜିଭାତରେ ଆସର ମଧ୍ୟ ଜମିଲା । ମିଛିମିଛିକା ବରକନ୍ୟାଙ୍କର ଏକ ସତସତିକା ବାହାଘର ସମ୍ପୂର୍ଣ୍ଣ ହେଲା । କୁମାର ପୂର୍ଣ୍ଣମୀ ଉତ୍ସବରେ ଜଟଣୀ ନିକଟସ୍ଥ ବଡ ମହୁରା ଓ ସାନ ମହୁରା ଗାଁର ଏହି ପରମ୍ପରା ବେଶ ନିଆରା । ଗାଁର କୁମାରୀ ମାନେ ଏହି ଉତ୍ସବର ଆୟୋଜନ କରୁଥିବା ବେଳେ ଗାଁ ଲୋକେ ମଧ୍ୟ ଏଥିରେ ସହାୟତା କରି ବେଶ ମଜା ଉଠାଇଥିଲେ । ବଡ ମହୁରାରେ ବର ହୋଇଥିଲେ ବିଦୁସ୍ମିତା ଜେନା ଓ କନ୍ୟା ସାଜିଥିଲେ ସାଇସ୍ମିତା ପଶ୍ଚିମ କବାଟ । ଖାଲି ସେତିକି ନୁହେଁ ଏମାନଙ୍କ ବରପିତା,କନ୍ୟାପିତା ଭୂମିକା ଗାଁର କୁମାରୀ ମାନେ ହିଁ ନିଭେଇଥିଲେ । ସେହିପରି ସାନ ମହୁରାରେ ବର ସାଜିଥିଲେ ଲିପ୍ସା ଓ କନ୍ୟା ସାଜିଥିଲେ ସ୍ମୃତିରେଖା । ସେହି ପରି ବରପିତା ଓ କନ୍ୟାପିତା ଭୂମିକାରେ ଗାଁର ଅନ୍ୟ କୁମାରୀ ମାନେ ହିଁ ନିଭେଇଥିଲେ ।

 

ଏହା ସହ ପଢନ୍ତୁ: ଆଜିଠୁ ଆରମ୍ଭ ହେଲା ଧର୍ମମାସ କାର୍ତ୍ତିକ, ବ୍ରତ ପାଳନ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଏତ ଗଲା ମହୁରା ଗାଁ କଥା । ଏମିତି ହିଁ ଏକ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲିପାଟଣା ଅଞ୍ଚଳର ମହୁଖଣ୍ଡା ଗାଁରେ । ସମ୍ପୂର୍ଣ୍ଣ ବୈଦିକ ରିତିନୀତିରେ ଏଠାରେ ମଧ୍ୟ ଏକ କୁମାରୀ ବିବାହ ଅନୁଷ୍ଠିତ ହୋଇଅଛି । ବରପିତା, କନ୍ୟାପିତା,ପୁରୋହିତ,ବରକନ୍ୟା,ନାହାକ, ବାରିକ ଭୂମିକାରେ ସେହି ଗାଁର କୁମାରୀ ମାନେ ହିଁ ନିଭେଇଥିଲେ । ଅବଶ୍ୟ ବରଯାତ୍ରୀ ଭୂମିକା ଗାଁର ଯୁବକ ମାନେ ନିଭେଇଥିଲେ । ଏଠାରେ ମଧ୍ୟ ସମାନ ଭାବେ ଭୋଜିଭାତର ଆୟୋଜନ ହୋଇଥିଲା । ଏଠାରେ ବରପକ୍ଷ ଓ କନ୍ୟାପକ୍ଷ ଏକାଠି ବସି ଭୋଜନ କରିବ ସହ ବରପକ୍ଷ ମିଛି ମିଛିକା କଳି ମଧ୍ୟ କରନ୍ତି । ଏମିତି ହିଁ କୁମାରୀ ବିଭାଘର ଅନୁଷ୍ଠିତ ହୋଇଥିଲା । ପୁରୁଣା ମନାନ୍ତରକୁ ଭୁଲି ଗାଁର ଲୋକ ମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ହେଉଛି କୁମାରୀ ବାହାଘର ପରି ଏକ ନିଆରା ପରମ୍ପରାର ମୂଳଲକ୍ଷ ।

ଓଡିଶାରୁ ଧୀରେ ଧୀରେ ପୁଚିଖେଳ,ଦୌଡ଼ିଡିଆଁ, ବହୁଚୋରି ପରି ପୁରୁଣା ପରମ୍ପରା ଦିନ କୁ ଦିନ ଉଭେଇବାକୁ ବସିଲାଣି । କୁମାରୀ ବାହାଘରର ନିଆରା ପରମ୍ପରା ଓଡିଶାର ସେହି ନିଆରା ପୁରୁଣା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବ ନିଶ୍ଚିତ । ଏହାସହ ଏହା ନାରୀସଶକ୍ତି କରଣର ଏକ ନୂଆ ଦିଗକୁ ମଧ୍ୟ ସୂଚିତ କରୁଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.