Below header

ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଉଁଥିଲେ ମହିଳା, କ୍ଷଣିକ ନିଷ୍ପତ୍ତି ବଞ୍ଚାଇ ଦେଲା ୩ଟି ଅମୂଲ୍ୟ ଜୀବନ

କୁହାଯାଏ ଆୟୁଷ ପୂରି ନଥିଲେ ସ୍ୱୟଂ ଭଗବାନ ବି କୌଣସି ପ୍ରାଣୀର ଜୀବନ ନେଇ ପାରନ୍ତି ନାହିଁ । ଏଇ ଯେମିତି ଗତକାଲି ଘଟିଛି ଏହି ମହିଳାଙ୍କ ସହ। ତାଙ୍କୁ ଅଳ୍ପକେ ମରଣ ମୁହଁରୁ ବଞ୍ଚାଇଦେଲେ ଜଣେ କଲେଜ ଛାତ୍ରୀ। ବୋଧହୁଏ ଭଗବାନ ଏହି ଯୁବତୀଙ୍କୁ ଦେବଦୂତ କରି ପଠାଇଥିଲେ । ଠିକଣା ସମୟରେ ଛାତ୍ରୀ ଜଣକ ଯଦି ନିଜର ଉପସ୍ଥିତି ବୁଦ୍ଧି ଖଟାଇନଥାନ୍ତେ ତେବେ ହୁଏତ ଗୋଟିଏ ନୁହେଁ, ତିନି ତିନିଟି ଜୀବନ ଚାଲି ଯାଇଥାନ୍ତା କ୍ଷଣିକରେ । କାରଣ ମହିଳାଙ୍କ ସହ ଥିଲେ ଦୁଇ ଜଣ ନିରୀହ ଶିଶୁ ।

ପୁରୀ ଜିଲ୍ଲା ଗୋପ କୁଶଭଦ୍ରା ସେତୁ ଉପରୁ ଦୁଇ ଶିଶୁଙ୍କୁ ଧରି ଆତ୍ମହତ୍ୟା ପାଇଁ ନଦୀ ପୋଲ ଉପରେ ଠିଆ ହୋଇଥିଲେ । ଖାଲି ସେତିକି ନୁହେଁ ପୂରା ନଦୀ ଭିତରକୁ ଡେଇଁବାକୁ ଉଦ୍ୟମ ମଧ୍ୟ କରୁଥିଲେ । ଏତିକି ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି କଲେଜ ଛାତ୍ରୀ ଲିଜା। ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ଜଣେ ମହିଳା ନିଜର ଚାରି ବର୍ଷର ପୁଅ ଓ ତିନି ମାସର ଝିଅକୁ ଧରି ଗୋପ କୁଶଭଦ୍ରା ସେତୁ ନିକଟରେ ବୁଲାବୁଲି କରୁଥିଲେ । ତାଙ୍କ ଉପରେ କିଛି ଲୋକଙ୍କ ନଜର ବି ପଡ଼ିଥିଲା । କିନ୍ତୁ ହଠାତ୍ ମହିଳା ଜଣକ ବ୍ରିଜ୍‌ର ସୁରକ୍ଷା ବାଡ ଡେଇଁ ନଦୀ ଭିତରକୁ ଡେଇଁବାକୁ ଚେଷ୍ଟା କଲେ । ହେଲେ ସମସ୍ତେ ଦେଖୁଥିଲେ ବି ଦୂରରେ ଥିବାରୁ ନାଚାର ହୋଇଯାଇଥିଲେ ।

women riverଆଉ ଠିକ୍‌ ଏତିକି ବେଳେ ଯେମିତି ସୁପର ଓମ୍ୟାନ୍‌ ପାଲଟି ଗଲେ ସେହି ବାଟ ଦେଇ ଯାଉଥିବା ଗୋପ କଲେଜର ଛାତ୍ରୀ ଲିଜା ଦାସ । ସେ ତୁରନ୍ତ ପାଟି କରି ମହିଳାଙ୍କୁ ନିଜ ଆଡକୁ ଟାଣି ଆଣିବା ସହିତ ତିନି ମାସର ଶିଶୁ କନ୍ୟାକୁ ତାଙ୍କ ହାତରୁ ଛଡାଇ ଆଣିଲେ। ବାସ୍‌ ସେଇ ମୁହୂର୍ତ୍ତ ହିଁ ବଞ୍ଚାଇ ଦେଲା ତିନି ତିନିଟି ଜୀବନ । ପାଟି ଶୁଣି ଅନ୍ୟ ଲୋକମାନେ ସେଠାରେ ପହଞ୍ଚି ଯାଇଥିଲେ । ମହିଳା ଏବଂ ଦୁଇ ଶିଶୁଙ୍କୁ ଲୋକମାନେ ସେଠାରୁ ନେଇ ଆସିଥିଲେ । ପରେ ଜଣାପଡ଼ିଥିଲା ଯେ ନିଜ ଦୁଇ ପିଲାଙ୍କ ସହିତ ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳା ଜଣକ ହେଉଛନ୍ତି ନିଆଳି ଥାନା ଅନ୍ତର୍ଗତ ପନିମାଳ ଗାଁର । ପାରିବାରିକ କଳହରୁ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇ ଅଭାବନୀୟ କାଣ୍ଡ ଘଟାଇବାକୁ ଯାଉଥିଲେ । ସ୍ୱାମୀ ଦେଉଥିବା ନିର୍ଯାତନା କଥା କହିଥିଲେ ।

ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଗୋପ ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ତାଙ୍କ ପରିବାରକୁ ଖବର ଦେବା ପରେ ମହିଳାଙ୍କ ମାଆ ଓ ଭାଇ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ନେଇ ଯାଇଥିଲେ । ତେବେ ଏମାନଙ୍କ ଜୀବନ ବଞ୍ଚାଇଥିବାରୁ କୋଣାର୍କ ଥାନା ଅନ୍ତର୍ଗତ ତରକୋର ଗାଁର ଝିଅ ଲିଜାଙ୍କୁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.