Below header

ଏଣିକି ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍, ଥଣ୍ଡା,ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ହସ୍ପିଟାଲ ନିଆ ନଯାଇ ରଖାଯିବ ଏଠାରେ

କେନ୍ୟୁଜ୍ (ବ୍ୟୁରୋ): ଏଣିକି ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍  ବ୍ୟବସ୍ଥା କରାଯିବ। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କର ରହିବା ପାଇଁ ବ୍ୟବସ୍ଥା ହୋଇପାରିବ। ଥଣ୍ଡା,ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ ନିଆ ନଯାଇ ପ୍ରଥମେ କୋଭିଡ କେୟାର ହୋମକୁ  ଅଣାଯିବ। ଟେଷ୍ଟିଂ ପରେ ଯଦି କୋଭିଡ଼ ପଜିଟିଭ ଆସେ ତେବେ ଯାଇ ତାଙ୍କୁ କୋଭିଡ଼ ହସ୍ପିଟାଲକୁ ପଠାଯିବ। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗାଁ ଗାଁରେ ଥଣ୍ଡା, ଜ୍ୱର କିମ୍ବା କାଶ ହେଲେ ଭୟଭୀତ ହେବାର ନାହିଁ । ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ କରିବେ କୋଭିଡ଼ କେୟାର ହୋମ୍ ବ୍ୟବସ୍ଥା । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସେଠାରେ ରଖାଯିବ । ଯାହାର ପଜିଟିଭ ବାହାରିବ ସେମାନଙ୍କୁ ପଠାଯିବ କୋଭିଡ୍ ହସ୍ପିଟାଲ । ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଓ ଗାଁ ସବୁଠାରେ ୱାର୍ଡସ୍ତରୀୟ କମିଟି ଗଠନ କରାଯିବ । କମିଟିରେ ରହିବେ ୱାର୍ଡ ସ୍ତରୀୟ ଲୋକ ପ୍ରତିନିଧି, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନଏମ ଓ ଏସଏଚଜିର ସଦସ୍ୟ । କମିଟିକୁ ସ୍ୱତନ୍ତ୍ର କ୍ଷମତା ଦିଆଯିବ ।

ଗାଁ କଲ୍ୟାଣ ସମିତି କୋଭିଡ଼ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ । ପ୍ରତି କମିଟି ପାଖରେ ରହିବ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା କ୍ଷମତା । କୋଭିଡ୍ କେୟାର ହୋମ୍  ଓ ଟିଏମସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ । ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ ।

ସହରାଞ୍ଚଳରେ ୱାର୍ଡ କମିଟିଗୁଡ଼ିକ ୱାର୍ଡର୍ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ । ଏଥିରେ ସଦସ୍ୟ ରହିବେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛା ସେବୀ । ସେମାନେ ଘରକୁ ଘର ବୁଲି ଲୋକଙ୍କଠାରୁ ସ୍ୱାସ୍ଥ୍ୟ ସମ୍ପର୍କୀୟ  ତଥ୍ୟ ସଂଗ୍ରହ କରି ପଦକ୍ଷେପ ନେବେ । ସହରାଞ୍ଚଳରେ ବସ୍ତି ଉପରେ ଅଧିକ ଫୋକସ କରିବ କମିଟି । ବଡ଼ ବଡ଼ ବସ୍ତିଗୁଡ଼ିକରେ ସ୍ଥାପନ କରାଯିବ କୋଭିଡ଼ କେୟାର ହୋମ୍ ।

ପୂର୍ବରୁ ବାହାର ରାଜ୍ୟ ତଥା ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଅସ୍ଥାୟୀ ମେଡିକାଲ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ପ୍ରବାସୀଙ୍କୁ ଏଠାରେ କ୍ୱାରେଣ୍ଡାଇନରେ ରଖାଯାଉଥଲା । ରାଜ୍ୟକୁ ଫେରିଥିଲେ ସାଢେ ୫ ଲକ୍ଷରୁ ଅଧିକ ପ୍ରବାସୀ । ଏବେ ସଂଖ୍ୟା କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ପରିସ୍ଥିତିରେ ରାଜ୍ୟ ସରକାର ନିଜର ରଣକୌଶଳ ବଦଲାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.