ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ, ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ

ଭୁବନେଶ୍ବର(କେନ୍ୟୁଜ) : ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କୋଭିଡ ଟେଷ୍ଟ କରିଛନ୍ତି । ଆସନ୍ତାକାଲି ପୌର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲାସ୍ତରରେ ଟେଷ୍ଟ କରି ରିପୋର୍ଟ ଦେଇପାରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବାଚସ୍ପତି।

ସୂଚନା ଥାଉକି, ଆସନ୍ତାକାଲି ପୌର ନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଭିନ୍ନ ବୁଥ୍‌ ମୁହାଂ ପୋଲିଂ ପାର୍ଟି। ଯାହାକୁ ନଜରରେ ରଖି ଏହି ନିଷ୍ପତି ନିଆଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେବ ନିର୍ବାଚନ । ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଅଧିକାରୀ ।

ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ୱାର୍ଡ ପାଇଁ ୭୦୫ଟି ମତଦାନ କେନ୍ଦ୍ର ହୋଇଛି । ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୋଲିଂ ଅଫିସର ରହିବେ । ମୋଟ୍‌ ୧ ହଜାର ୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪ ହଜାର ୩୭୩ ବୁଥରେ ୪୦ ଲକ୍ଷ ୫୫ହଜାର ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ପୌର ନିର୍ବାଚନରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ବିଏମସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।

Leave A Reply

Your email address will not be published.