ସାତବର୍ଷ ତଳେ ଆଜିର ଦିନରେ ଭଞ୍ଜନଗରର ବେଲଗୁଣ୍ଠା ବ୍ଳକରେ ତାଣ୍ଡବ ରଚିଥିଲା ଫାଇଲିନ୍, ଏବେ ଆସିଥିବା ଲଘୁଚାପ ଖେଳାଇ ଦେଇଛି ଭୟ

ଭଞ୍ଜନଗର: ସାତବର୍ଷ ତଳେ ତାଣ୍ଡବ ରଚିଥିଲା, ଫାଇଲିନ୍ । ଅସ୍ତବ୍ୟସ୍ତ କରିଦେଇଥିଲା ଜନଜୀବନ । ଅନେକ ସ୍ଥାନରେ ଫାଇଲିନ୍ ର ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକରେ ଫାଇଲିନ୍ ବାତ୍ୟା ସହ ମହାବନ୍ୟାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଏଯାଏ ବି କାହାରି ମନରୁ ଲିଭିପାରିନି ସାତବର୍ଷ ତଳର ସେହି ଭୟଙ୍କର ଦୃଶ୍ୟ ।

ଏବେବି ଆକାଶରେ କଳାହାଣ୍ଡିଆ ମେଘ ଉଠିଲେ, ଲୋକଙ୍କୁ ମନେପକାଇଦେଉଛି, ସେଦିନର କାଳରାତିର ଘଟଣା । ଅକ୍ଟୋବର ୧୨, ୨୦୧୩ ମସିହା । ମଧ୍ୟରାତିରେ ତାଣ୍ଡବ ରଚିଥିଲା ଫାଇଲିନ୍ । ଆଗୁଆ ସୂଚନା ପାଇ ସବୁ ସତର୍କ ଥିଲେ । ହେଲେ ବାତ୍ୟା ସହିତ ଆଉ ଏକ ଭୟଙ୍କର ଘଟଣା ଯୋଡ଼ି ହୋଇଥିଲା, ଲୋକେ ତାହା ଜାଣିପାରିନଥିଲେ । ବାତ୍ୟା କମିବା ପରେ, ୧୩ ତାରିଖ ସକାଳୁ ସକାଳୁ , ଗୋଟିଏ ପରେ ଗୋଟିଏ ଗାଁରେ ବନ୍ୟା ପାଣି ମାଡିଚାଲିଲା । ଉପର ମୁଣ୍ଡରେ ବଡନଦୀର ହିଡ ଭାଙ୍ଗିଯିବାରୁ, ପାଞ୍ଚଖଣ୍ଡ ଗାଁ ବନ୍ୟା ପାଣିରେ ବୁଡିବାକୁ ଲାଗିଲା । ସାତଦିନ ଧରି ବନ୍ୟାପାଣି ଘେରରେ ରହିଲେ, ହଜାର ହଜାର ଲୋକ ।

floodଗାଁଗଣ୍ଡା, ଘର, ରାସ୍ତାଘାଟ, ଓ ବଡ଼ବଡ଼ ଗଛ ସବୁ ଭାଙ୍ଗି ତଳେ ପକାଇ ଦେଇଥିଲା ଫାଇଲିନ ବାତ୍ୟା । ତା’ପରଦିନ ବଡନଦୀର ବନ୍ୟା ପାଣି, ସେସବୁକୁ ଧୋଇନେଲା । ସତେ ଯେମିତି, ଆଗପଛ ହୋଇ ଆସିଥିଲେ, ବାତ୍ୟା ଓ ବନ୍ୟା । ଜଣେ ଭାଙ୍ଗିରୁଜି ଉଜାଡି ଦେଲା, ଆଉ ଜଣେ ତାହା ସବୁ ଧୋଇନେଲା । ଯାହାର ପ୍ରଭାବରେ ସନ୍ତୁଳି ହେବାକୁ ପଡ଼ିଲା, ଇଙ୍ଗିନାଠି ପଞ୍ଚାୟତର ମନ୍ଦାର, ରତଙ୍ଗ, ଇଙ୍ଗିନାଠି, ସାରିଆପଲ୍ଲୀ ଓ ବଲାଡି ଗ୍ରାମବାସୀଙ୍କୁ । କିଏ ସହାୟତା ଓ ସହଯୋଗ ପାଇଲା ତ’ , ଆଉକିଏ ପାଇଲାନି ବୋଲି ଅଭିଯୋଗ ଉଠିଲା । ଏବେବି ସେହି ସମାନ ଅଭିଯୋଗ । କ୍ଷତିଗ୍ରସ୍ତ ଜନସାଧାରଣ ଓ ସଂପୃକ୍ତ ପଞ୍ଚାୟତର ବିକାଶ ପାଇଁ, ସେହି ସମୟରେ ଗଂଜାମ ଜିଲ୍ଲା ପ୍ରଶାସନ, ଇଙ୍ଗିନାଠି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଘୋଷଣା କଲେ। ହେଲେ ପୋଷ୍ୟ ପଞ୍ଚାୟତର ଅର୍ଥ କଣ, ତାହା ଲୋକେ ଏପର୍ଯ୍ୟନ୍ତ ବୁଝିପାରିଲେ ନାହିଁ ବୋଲି, ପ୍ରଶ୍ନ ଉଠାଇଛନ୍ତି ପଞ୍ଚାୟତର ଜନସାଧାରଣ ।

ସେହି ସମୟର ସମସ୍ୟା ଓ ବର୍ତ୍ତମାନର ଚିତ୍ର ବୟାନ କରୁଛି , କଣ ହୋଇଛି ବିକାଶ? ଆଉ କ’ଣ ରହିଛି ସମସ୍ୟା? କ୍ଷତିଗ୍ରସ୍ତ  ଇଙ୍ଗିନାଠି ପଞ୍ଚାୟତର, ବିକାଶ ପାଇଁ ଆନ୍ତରିକ ଉଦ୍ୟମ ହୋଇଛି, ନା’ ଉପର ଠାଉରିଆ ବିକାଶ ହୋଇଛି । ଫାଇଲିନ, ତିତିଲି, ହୁଡୁହୁଡୁ ସହ ପ୍ରତିବର୍ଷ କ୍ରମାଗତ ଭାବରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛନ୍ତି, ଇଙ୍ଗିନାଠି ପଞ୍ଚାୟତବାସୀ । ସାତବର୍ଷ ପରେ, ଆଜିର ଦିନରେ ପୁଣି ଆଉଏକ ଲଘୁଚାପ । ଏବେ କେବଳ ଭଗବାନଙ୍କ ଉପରେ ଭରସା କରିବା ସହ, ସରକାରଙ୍କ ଶୁଭଦୃଷ୍ଟିକୁ ଚାହିଁ ରହିଛନ୍ତି ଏହି ପଞ୍ଚାୟତର ହଜାର ହଜାର ଜନସାଧାରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.