ରାମ ବନିଲେନି ଦାମ ! ଏରସମାରୁ ବାରିପଦା ଯାଏ ହଟହଟା

ଭୁବନେଶ୍ବର (କେନ୍ୟୁଜ୍) : ଆଗରୁ ଥିଲା । ଏବେ ଆହୁରି ବଢ଼ି ଯାଇଛି । ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ରାଜନୈତିକ ଉଷ୍ମତା କଥା । ବରିଷ୍ଠ ତଥା ଗରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜୁ ଜନତା ଦଳରୁ ବିଦା ହେବା ପରେ ଏବେ ଆଉ ଟିକେ ଗରମ ହୋଇଛି ଜିଲ୍ଲାର ରାଜନୀତି । ଛକାପଂଝା ଚାଲିଛି ଦାମ ବାହିନୀ ଓ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ ଭିତରେ । ଏଇ କାଲିର କଥା, ଏରସମାରେ ରାବଣପୋଡ଼ିକୁ ନେଇ ବେଶ୍ ଟଣା ଓଟରା ହୋଇଛି । ଯେଉଁଠି ଦାମ ରାମ ବନି ରାବଣକୁ ଜଳାଇ ଥାନ୍ତେ, ସେଠି ତାଙ୍କୁ ଅନୁମତି ମିଳିଲା ନାହିଁ । ପୁଣି ସେହି ଜାଗାରେ ତା ପର ଦିନ ରାବଣ ଜଳିଲା । କିନ୍ତୁ ଶାସକ ଦଳ ହାତରେ । ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହତ ଥିଲେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଦାମ ବାବୁଙ୍କ ସମର୍ଥକ ଏରସମା ବନ୍ଦ ଡାକରା ଦେଲେ । ତେବେ ଖାଲି ସକାଳ ବେଳା ଦୋକାନ ବଜାର ବନ୍ଦ ରହିଲା । ତାପରେ ରାତିକୁ ହଜାର ହଜାର ଲୋକ ଜମିଗଲେ ରାବଣପୋଡ଼ି ବେଳେ ।

DAMA-2

ଦାମ ବାବୁ ବିଜେଡିରେ ଥିଲା ବେଳେ ମଧ୍ୟ ଜଗତସିଂହପୁରରେ ତାଙ୍କୁ ବିରୋଧର ସାମନା କରିବାକୁ ପଡୁଥିଲା । ସେ ବିଷ୍ଣ ୁ ଦାସ ହୁଅନ୍ତୁ ଅବା କଂଗ୍ରେସର ବାପି ସର୍ଖେଲ ସମସ୍ତେ ତାଙ୍କୁ ତୀବ୍ର ବିରୋଧ କରୁଥିଲେ । ଏବେ କିନ୍ତୁ ବିଜେଡିରୁ ବାହାର ରାସ୍ତା ଦେଖିବା ପରେ ଖୋଲାଖୋଲି ବିରୋଧ ଚାଲିଛି । ତାଙ୍କ ବିରୋଧରେ ପରିବାର ଲୋକଙ୍କୁ ଆଣିବା ପାଇଁ ମଧ୍ୟ ପଛେଇ ନାହାନ୍ତି ନେତାମାନେ । ଯେମିତି କି ଭାଇ ବାମ ବାବୁ କହିଲେ, ସୁଯୋଗ ମିଳିଲେ ପାରାଦୀପରୁ ପ୍ରାର୍ଥୀ ହେବେ। ମାନେ ଭାଇଙ୍କ ଜାଗା ଦଖଲ କରିବାକୁ ଭାଇ ତୟାର । ସେହିଭଳି ଅନ୍ୟ ବରିଷ୍ଠ ନେତାଙ୍କ ସମେତ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଖି ମଧ୍ୟ ବନ୍ଦର ନଗରୀ ଉପରେ ରହିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ରାବଣପୋଡ଼ି ରାଜନୀତି ନସରୁଣୁ ଆଜି ବାରିପଦା ସଭାରେ ତାଙ୍କୁ ହଟହଟା ହେବାକୁ ପଡ଼ିଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ସମାବେଶରେ ଯୋଗ ଦେବାକୁ ଆସି ଏମିତି ହରଡ଼ଘଣାରେ ପଡ଼ିଲେ ଯେ ଏବେ ବାବୁ ରାମ ନାମ ଭଜୁଥିବେ । ପୁଣି ଏ ଦୁଃସମୟରେ ସେ ଧରିଛନ୍ତି ବାବୁ ବୈଜୟନ୍ତ ପଣ୍ଡାଙ୍କ ପଛ । ଯାହା ଜଣାପଡୁଛି ତାଙ୍କର ଏବେ ବେଳା ଆଦୌ ଭଲ ନାହିଁ ।

BARIPADA MEETING
ବାରିପଦା ବୈଠକ

ତଥାପି ଦାମ ବାବୁ ନିଜକୁ ଟାଣ କରି ଜବାବ ଦେଉଛନ୍ତି । ଆଗାମୀ ନିର୍ବାଚନରେ ଲୋକେ ତାଙ୍କ ବିରୋଧୀଙ୍କୁ ଠିକଣା ରାସ୍ତା ଦେଖାଇବେ ବୋଲି କହୁଛନ୍ତି । କିନ୍ତୁ ସମର୍ଥକ ଏବଂ ରାଜନୈତିକ ପତିଆରାକୁ ଦେଖିଲେ ନିଶ୍ଚୟ କିଛି ମନ ଉଣା କରୁଥିବେ ତୁଣ୍ଡ ବାଇଦରେ ସମସ୍ତଙ୍କୁ ଚମକାଉଥିବା ଏହି ବୟୋଜ୍ୟେଷ୍ଠ ନେତା । ବାସ୍ତବରେ ଆଗାମୀ ନିର୍ବାଚନ ହିଁ ତାଙ୍କ ଲୋକପ୍ରିୟତାର ମାନଦଣ୍ଡ ନିର୍ଦ୍ଧାରଣ କରିବ । ତାଙ୍କ ଭଳି ଜଣେ ଟାଣୁଆ ନେତାଙ୍କ ଏଭଳି ସ୍ଥିତି ଦେଖି ଦୁଃଖ ଲାଗୁଛି ସତ, ହେଲେ ଇଏ ତ ସବୁ ସମୟର ଖେଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.