ସୁନ୍ଦରଗଡ଼: ବିଭତ୍ସ ହତ୍ୟାକାଣ୍ଡ, ଇବ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର
ସୁନ୍ଦରଗଡ(କେନ୍ୟୁଜ୍): ସଦର ଥାନା ବନ୍ଧପାଲି ନିକଟସ୍ଥ ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ସଂପୃକ୍ତ ଯୁବକଙ୍କ କଟା ମୁଣ୍ଡ ଓ ଗୋଟିଏ ଗୋଡ ଉଦ୍ଧାର କରାଯାଇଛି। ଆଜି ସକାଳେ ପାଣି ଭିତରୁ ଏକ ହାତ ଓ ଏକ ଗୋଡକୁ ଉଦ୍ଧାର କରାଯାଇଛି। ମୃତକ ଜଣକ ତଲସରା ଅଂଚଳର ଦୁର୍ଗା ମାଝୀ ବୋଲି ଜଣାପଡିଛି। ସେ ସଦର ଥାନା ଖତବଡେଗା ମଝାପଡା ଅଂଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ତେବେ କିଏ ଓ କାହିଁକି ଏଭଳି ବିଭତ୍ସ ଭାବେ ହତ୍ୟା କଲା ତାହା ଜଣାପଡିନାହିଁ, ତେବେ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନଦୀ ଭିତରେ ଖୋଜା ଖୋଜି କାର୍ୟ୍ୟ ଜାରି ରଖିଛନ୍ତି। ଗତ ଜାନୁଆର ମାସରେ ଏହିଭଳି ଏକ ହତ୍ୟାକାଣ୍ଡ ଘଟିଥିଲା। କିରେଇ ଗ୍ରାମପଂଚାୟତର ଗାଁ ସାଥି ରମେଶ ସିଂଙ୍କୁ ମଧ୍ୟ ଏହି ଭଳି ହତ୍ୟା କରାଯାଇଥିଲା। ପରକ୍ରିୟା ପ୍ରିତି ପାଇଁ ରମେଶକୁ ହତ୍ୟା କରାଯାଇଥିଲା ଓ ସେହି ଘଟଣାରେ ପୋଲିସ ଶାଶୁ ଓ ଜ୍ଵାଇଁକୁ ଗିରଫ କରିଥିଲା। ଘଟଣାରେ ୨ ମାସ ନପୁରୁଣୁ ଅନୁରୁପ ଭାବେ ପୁଣି ସମାନ ଢଙ୍ଗରେ ହୋଇଛି ଏହି ହତ୍ୟାକାଣ୍ଡ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।