ବଡଦାଣ୍ଡରେ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି,ଭକ୍ତଶୂନ୍ୟ ବଡ଼ଦାଣ୍ଡ ଦେଖି ଉଦାଶ ହୋଇଛି କଳାବଦନ

ପୁରୀ(କେନ୍ୟୁଜ୍):  ବଡଦାଣ୍ଡରେ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଜି ସ୍ବାୟଂ କାଳିଆ ଠାକୁର ଭାଇ ଭଉଣୀଙ୍କ ସହ ରାଜରାଜେଶ୍ବର ବେଶରେ ସାରା ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ କୋଭିଡ୍-୧୯ କଟକଣା ପାଇଁ  ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। ଟିଭି ପରଦାରେ ମାହାବାହୁଙ୍କୁ ଦର୍ଶନ କରୁଛନ୍ତି  କୋଟି କୋଟି ଜଗନ୍ନାଥ  ପ୍ରେମୀ।

balabhadra1  ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ। ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର ବଳଭଦ୍ର। ଦେବଦଳନ ରଥରେ ଅବର୍ଣ୍ଣନନୀୟ ଦେବୀ ସୁଭଦ୍ରାଙ୍କ ସୁବର୍ଣ୍ଣ ବେଶର ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଠିକ୍ ସେମିତି ନନ୍ଦିଘୋଷ ରଥରେ ଶଙ୍ଖ-ଚକ୍ର ଆୟୁଧ ଧାରଣ କରି ମନ ମୋହୁଛନ୍ତି  କୋଟି ଓଡିଆର  ମଉଡ ମଣି କାଳିଆ ସାଆନ୍ତ।

ଆଷାଢ଼ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ରଥ ଉପରେ ଶ୍ରୀଜିଉଙ୍କ ସର୍ବାଙ୍ଗ ନୀତି ପରେ ମହାପ୍ରଭୁଙ୍କୁ ପ୍ରାୟ ଦୁଇଘଣ୍ଟା ଧରି ସୁନାବେଶରେ ସଜ୍ଜିତ କରାଯାଇଥିଲା । ରାତି ୧୧ଟା ପର୍ଯ୍ୟନ୍ତ ରାଜାରାଜେଶ୍ୱର ବେଶରେ ଦର୍ଶନ ଦେବେ । ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ରଥାରୁଢ଼ ମହାପ୍ରଭୁଙ୍କ ଦୁର୍ଲଭ ସୁନା ବେଶ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବା ବେଳେ ଚଳିତ ଥର କରୋନା କଟକଣା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ପୁରୀରେ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 ଏହି  ସୁନାବେଶ କିପରି ସୁରଖୁରରେ ସମ୍ପର୍ଣ୍ଣ ହେବ ଏଥିପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ମାର୍କେଟ ଛକରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ଆଖପାଖ ସାହିରେ ୧୪୪ ଧାରା ଜାରି ହୋଇଛି। ଆସନ୍ତାକାଲି ଠାକୁରଙ୍କ ଅଧରପଣା ଓ ପରଦିନ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.