ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ଵର ଝୁଲା ପୋଲ

ଆଠଗଡ(କେନ୍ୟୁଜ୍): ଗୁଜରାଟ ମୋର୍ବିରେ ଝୁଲା ପୋଲ ଦୁର୍ଘଟଣା ପରେ, ଧବଳେଶ୍ଵର ଝୁଲା ପୋଲ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପ୍ରତିକ୍ରିୟା ରଖିଛନ୍ତି। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଠାରେ ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ଵର ଝୁଲା ପୋଲ । ବର୍ତ୍ତମାନ ପାଇଁ ଝୁଲା ପୋଲରେ ଅଧିକ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି ।
ପୋଲ ଉପରେ ଲୋକସଂଖ୍ୟାକୁ ସୀମିତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ପୋଲ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଗୁଜୁରାଟ ଘଟଣା ପୂର୍ବରୁ ଏକ ବୈଷୟିକ ଟିମ ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଆଜି ଏଡିଏମ୍ଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ଧବଳେଶ୍ଵର ଯାଇ ସ୍ଥିତି ଅନୁଧ୍ୟାନ କରିବ । କିଛି ତ୍ରୁଟି ନଜରକୁ ଆସିଛି।
ସୁରକ୍ଷାକୁ ନେଇ କୌଣସି ସାଲିସ କରାଯିବ ନାହିଁ। ଡଙ୍ଗାରେ ଯିବା ଆସିବା ଶ୍ରଦ୍ଧାଳୁମାନଙ୍କ ପାଇଁ କିଛି ପରିମାଣରେ କଷ୍ଟକର ହେବ। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ଙ୍କୁ ସଜାଗ ରଖା ଯାଇଛି। ଝୁଲା ପୋଲକୁ ଲାଗିକରି ଚାଲିଥିବା କଂକ୍ରିଟ ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଶେଷ କରାଯିବ।