ଚାରିଆଡେ ଭାସୁଥିଲା ଶବ, ଶୁଭୁଥିଲା ବିକଳ ଚିତ୍କାର, ନିଜ ଲୋକଙ୍କୁ ଖୋଜୁଥିଲା ଆଖି; ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ଘଟଣାରେ ଅନେକ ଛୋଟ ପିଲାଙ୍କ ଜୀବନ ଚାଲିଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଲାଗିପଡିଛନ୍ତି। ଉଦ୍ଧାର କାର୍ଯ୍ୟରେ ତିନି ସେନାର ଶତାଧିକ ଯବାନ ସାମିଲ ଅଛନ୍ତି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଏନଡିଆରଏଫ  ଓ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ରାତିସାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ଏହି ଐତିହ୍ୟ ବ୍ରିଜ୍ ମରାମତି ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା। ଦୁର୍ଘଟଣା ଦିନ ଏହା ଉପରେ ପ୍ରାୟ ୫୦୦ ଲୋକ ଥିବା ସମୟରେ ଛିଡ଼ି ଯାଇଥିଲା। ବ୍ରିଜ ଖସିପଡିବା ପରେ ନଦୀରେ ଚାରିଆଡେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣାରେ ପ୍ରାୟ ୧୭୭ ଜଣକୁ ଉଦ୍ଧାର କରାଯାଇଛି, ସେମାନଙ୍କର ଚିକିତ୍ସା କରାଯାଉଛି।

ତେବେ ମଚ୍ଛୁ ନଦୀ ଉପରେ ଥିବା ଏହି ଐତିହ୍ୟ ବ୍ରିଜ୍ ମରାମତି ପାଇଁ ଗତ ୭ ମାସ ଧରି ବନ୍ଦ ରହିଥିଲା । ଅଧିକାଂଶ ଲୋକ ଛଟ୍‌ ପୂଜା ପାଇଁ ଏକାଠି ହୋଇଥିଲେ। ବ୍ରିଜ୍ ଉପରେ ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ସମେତ ପ୍ରାୟ ୫୦୦ ଲୋକ ଉପସ୍ଥିତ ରହିଥିଲେ। ବ୍ରିଜ ଭୁଶୁଡିବାର ସିସି ଟିଭି ଫୁଟେଜ ସାମ୍ନାକୁ ଆସିଛି। କିପରି ନଦୀରେ ବ୍ରିଜ ଭୁଶୁଡିବା ପରେ ଲୋକ ପାଣିରେ ଚାପି ହୋଇପଡିଛନ୍ତି ଦେଖିବାକୁ ମିଳିଛି। ପୋଲ ତଳେ ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା।

ପ୍ରାୟ ୧୦୦ ବର୍ଷ ତଳର ଏହି ପୋଲ । ୬ ମାସ ବନ୍ଦ ରହିବା ପରେ ଗତ ସପ୍ତାହରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ଏହାକୁ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏବେ ସଜଡା ଯାଇଥିଲା। ବ୍ରିଟିଶ ଅମଳର ଏହି ପୋଲର ଲମ୍ବ ୨୩୦ ମିଟର । ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ତତ୍କାଳୀନ ମୋରବୀ ଶାସକ ଏହାକୁ ନିର୍ମାଣ କରିଥିଲେ ।