କୋରାପୁଟ ସେମିଲିଗୁଡାରେ ଝାଡାବାନ୍ତି ଆତଙ୍କ: ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍

କୋରାପୁଟ (କେନ୍ୟୁଜ): କୋରାପୁଟ ସେମିଲିଗୁଡ଼ା ସୁବାଇ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗାଁରେ ୪୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁ ଥିବା ଜଣାପଡ଼ିଛି। ଆକ୍ରାନ୍ତ ହେବା ପରେ ମେଡିକାଲରେ ଚିକିତ୍ସିତ ହୋଇ ଏବେ ସୁସ୍ଥ ହୋଇଛନ୍ତି । ଖବର ପାଇ ସେମିଳିଗୁଡା ବ୍ଲକ ପ୍ରଶାସନ, ସେମିଳିଗୁଡା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ପହଞ୍ଚି ଗ୍ରାମବାସୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଆକ୍ରାନ୍ତଙ୍କୁ ଚିହ୍ନଟ କରି ଗାଁରେ ହିଁ ଚିକିତ୍ସା ବ୍ୟବସ୍ଥା କରିଥିଲେ । କାରଣ ଖୋଜିବାକୁ ଯାଇ ଗାଁର ପରିମଳ ବ୍ୟବସ୍ଥା ଯାଞ୍ଚ କରିଥିଲେ । କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଲା ତାର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍ । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଗାଁରେ ବ୍ଲିଚିଂ ପାଉଡ଼ର ପକାଇବା ସହିତ ଗାଁକୁ ସଫା ସୁତୁରା କରାଯାଇଛି ।

ଉପସ୍ଥିତ ସ୍ଵାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି ଆଶା କର୍ମୀ, ଲୋକ ପ୍ରତିନିଧିଙ୍କ ସମେତ ଗାଁ ବାସିନ୍ଦାଙ୍କୁ ଫୁଟା ପାଣି ବ୍ୟବହାର କରିବାକୁ ସଚେତନ କରାଯାଉଛି। ସ୍ଥିତି ପ୍ରତି ଜିଲ୍ଲା ପ୍ରଶାସନର କଡ଼ା ନଜର ରହିଥିବା କୋରାପୁଟ ଡାକ୍ତରୀ ଦଳର ନେତୃତ୍ୱ ନେଉଥିବା ଡାକ୍ତର ନୀଳ ମାଧବ ଶତପଥୀ ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିରେ ଯେପରି ଅନ୍ୟ କେହି ସଂକ୍ରମିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦିଆଯାଉଛି।

 

 

 

 

You might also like