ନିର୍ବାଚନ ଜିତିବା ପରେ ପପୁଙ୍କ ନାମରେ ଗୁରୁତର ଅଭିଯୋଗ, ବ୍ୟବସାୟୀଙ୍କୁ ମାଗୁଥିଲେ ୧ କୋଟି ଟଙ୍କା

ବିହାର ପୂର୍ଣ୍ଣିୟାରୁ ନବନିର୍ବାଚିତ ସାଂସଦ ରାଜେଶ ରଂଜନ ଓରଫ ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର ମାତ୍ର ୬ ଦିନ ପରେ ସାଂସଦ ଆସିଛି ସାଂଘାତିକ ଅଭିଯୋଗ । ଜୁନ୍‌ ୧୦ରେ ତାଙ୍କ ନାମରେ ଅଭିଯୋଗ ହୋଇଛି । ନିର୍ବାଚନ ଜିତିବା ପରେ ଜଣେ ବ୍ୟବସାୟୀ ପପୁଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପପୁ ଯାଦବ ବ୍ୟବସାୟୀଙ୍କୁ ଏକ କୋଟି ଟଙ୍କା ଦେବାକୁ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ କରିଥିବା ବ୍ୟବସାୟୀ ଜଣକ ପୂର୍ଣ୍ଣିୟାର ଜଣେ ବଡ଼ ଫର୍ଣ୍ଣିଚର ବ୍ୟବସାୟୀ । ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖରେ ମତ ଗଣନା ଚାଲିଥିବା ବେଳେ ପପୁ ଯାଦବ ତାଙ୍କୁ ଘରକୁ ଡାକିଥିଲେ । ସେଠାରେ ସେ ଏକ କୋଟି ଟଙ୍କା ଦେବା ନିମନ୍ତେ ତାଙ୍କୁ ଧମକ ଦେଇଥିଲେ । ଏପରିକି ଟଙ୍କା ନ ଦେଲେ ହତ୍ୟାର ଶିକାର ହେବାକୁ ପଡ଼ିବ ବୋଲି ଧମକ ଦେଇଥିଲେ ।

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସେ ପୂର୍ଣ୍ଣିୟାର ସାଂସଦ ରହିବେ । ତେଣୁ ତାଙ୍କ ବିରୋଧରେ ମୁହଁ ଖୋଲିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବି ପପୁ ଯାଦବ ଧମକ ଦେଇଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି । ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପପୁ ଯାଦବ ଓ ତାଙ୍କ ସହଯୋଗୀ ଅମିତ ଯାଦବଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମାମଲାକୁ ନେଇ ପପୁ ଯାଦବ କହିଛନ୍ତି, ମୋର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ କିଛି ଲୋକ ଏପରି ହୀନ ଚକ୍ରାନ୍ତ କରୁଛନ୍ତି । ସତ ସମସ୍ତଙ୍କ ସାମନାକୁ ଆଣିବାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଯାଉ । ଏହାପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାକୁ ଫାଶୀ ଦେଇ ଦିଅନ୍ତୁ ।

ତେବେ ପୋଲିସ ଅଭିଯୋଗ ଆଧାରରେ ପପୁ ଯାଦବ ଏବଂ ତାଙ୍କ ସହଯୋଗୀ ଅମିତ ଯାଦବଙ୍କ ବିରୋଧରେ ଆଇପିସି ଧାରା ୩୮୫/୫୦୪/୫୦୬/୩୪ ଅଧିନରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି ।
ପପୁ ଯାଦବ ପୂର୍ଣ୍ଣିୟାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ । ତାଙ୍କୁ ୫.୬୭ ଲକ୍ଷ ଭୋଟ ମିଳିଥିବା ବେଳେ ଜେଡିୟୁ ପ୍ରାର୍ଥୀ ୫.୪୩ ଲକ୍ଷ ଭୋଟ ମିଳିଥିଲା । ସେହିପରି ଆରଜେଡିର ବିମା ଭାରତୀ କେବଳ ୨୭,୧୨୦ ଭୋଟ ପାଇଥିଲେ ।

Leave A Reply

Your email address will not be published.