Below header

କୋରାପୁଟ : ୨ ଶହ ସ୍ୱାସ୍ଥ୍ୟକର୍ମୀଙ୍କୁ ଏକାଥରେ ଛଟେଇ, ଜିଲ୍ଲାପାଳଙ୍କୁ ଗୁହାରୀ ପରେ ବି ପ୍ରତିକାର ନାହିଁ

କୋରାପୁଟ : କୋଭିଡ କେୟାର ହୋମରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ଛଟେଇକୁ ନେଇ ବଢୁଛି ଅସନ୍ତୋଷ। ଜଣେ କି ଦୁଇ ଜଣ ନୁହଁ ଏକା ଥରକେ ୨୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ଛଟେଇ କରିଛି। ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଏମାନେ ନିଯୁକ୍ତି ପାଇଥିଲେ ବି ରାଜ୍ୟ ସରକାର କୋଭିଡ କେୟାର ହୋମ ବନ୍ଦ କରିବାକୁ ଘୋଷଣା କରିବା ପରେ ଏମାନେ ଚାକିରି ହରାଇଛନ୍ତି। ତେବେ ଚୁକ୍ତି ଅବଧି ପୂରିବା ପୂର୍ବରୁ ଛଟେଇ ହୋଇଥିବାରୁ ସ୍ବାସ୍ଥ୍ୟ କର୍ମୀମାନେ ଏହାକୁ ବିରୋଧ କରିବା ସହ ଥଇଥାନ ଦାବି କରିଛନ୍ତି।

HEALTH WORKER-1

ନିଯୁକ୍ତିର ମାତ୍ର ୨୨ ଦିନ ପରେ ହଠାତ୍ ଏମାନଙ୍କୁ ଚାକିରିରୁ ବାହାର କରି ଦେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ନା ମିଳିଲା ଦରମା ନା ଅନ୍ୟ କେଉଁଠି ଥଇଥାନ ହେଲେ। ତେଣୁ ଏମାନେ କୋରାପୁଟ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ପ୍ରତିବାଦ କରିଛନ୍ତି। ମାସିକ ୨୫ ହଜାର ୫ଶହ ଟଙ୍କା ଦରମା ସହ ଅନ୍ୟାନ୍ୟ ସୁବିଧା ମିଳିବାର ଲୋଭନୀୟ ଅଫରରେ ପଡି ଏମାନେ ଅନ୍ୟତ୍ର ଚାକିରି ଛାଡ଼ି କୋଭିଡ କେୟାର ହୋମରେ କାମ କରୁଥିଲେ ଓ କରୋନା ରୋଗୀଙ୍କ ସେବା କରୁଥିଲେ। ହେଲେ ଏବେ ହଠାତ୍ ଚାକିରି ହରାଇବା ପରେ କୁଆଡେ ଯିବେ ଓ କଣ କରିବେ ଏହି ଚିନ୍ତା ଘାରିଛି ଏମାନଙ୍କୁ। ଏପରିକି ଜିଲ୍ଲାପାଳଙ୍କୁ ଭେଟି ପୁନଃ ଥଇଥାନ ପାଇଁ ଦାବି କରିଥିଲେ ବି କିଛି ସୁଫଳ ମିଳିଲାନି।

ଜିଲ୍ଲାରେ ମୋଟ ୨୪୦ଟି ପଂଚାୟତ ରହିଥିବା ବେଳେ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ କୋଭିଡ କେୟାର ସେଣ୍ଟର ଖୋଲା ଯାଇଥିଲା। ତେବେ ସରକାରଙ୍କ ନୂଆ ଗାଇଡ ଲାଇନ ପରେ କରୋନା ଆକ୍ରାନ୍ତ କୋଭିଡ କେୟାର ହୋମ ବଦଳରେ ନିଜ ଘରେ ସଂଗରୋଧରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ କୋଭିଡ କେୟାର ହୋମ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଏହି ସବୁ କୋଭିଡ କେୟାର ହୋମରେ କାର‌୍ୟ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଛଟେଇ କରାଯାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ।ତେବେ ପୁନଃ ଥଇଥାନ ପାଇଁ ସ୍ବାସ୍ଥ୍ୟ କର୍ମୀମାନେ ଯେଉଁ ଦାବି କରୁଛନ୍ତି ତାହା ଜିଲ୍ଲା ପ୍ରଶାସନର କ୍ଷମତା ବାହାରେ ବୋଲି କହିଛନ୍ତି ସେ।ତେବେ ସେମାନଙ୍କ ଦାବି ପତ୍ର ସ୍ବାସ୍ଥ୍ୟ ବିଭାଗକୁ ପଠାଇ ଦିଆଯିବ ଓ ଏ ଦିଗରେ ଆବଶ୍ୟକ ପଦକ୍ଷେପ ସ୍ବାସ୍ଥ୍ୟ ବିଭାଗ ନେବ ବୋଲି କହିଛନ୍ତି ଜିଲ୍ଲାପାଳ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.