ନକଲି ଆଦିବାସୀ ଜାତି ପ୍ରମାଣ ପତ୍ର ଦେଖାଇ ଚାକିରି କରିଥିବା ଡାକ୍ତର ଗିରଫ, ଅଭିଯୋଗ କଲେ ସାନ ଭାଇ

ନକଲି ଜାତି ପ୍ରମାଣ ପତ୍ର ଦେଖାଇ ପ୍ରଥମେ ପାଠ ପଢ଼ିଲେ ଏବଂ ପାଠ ପଢ଼ିବା ପରେ ଡାକ୍ତର ମଧ୍ୟ ହେଲେ । ଡାକ୍ତରଙ୍କ ମିଛ ବି ଏବେ ଧରା ପଡ଼ିଛି । ଆଉ ମିଛର ପର୍ଦ୍ଦାଫାସ କରିଛନ୍ତି ଡାକ୍ତରଙ୍କ ନିଜ ଭାଇ ।

ରୋଗୀମାନେ ଡାକ୍ତରଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତି । କାରଣ ଡାକ୍ତରମାନେ ହିଁ ସେମାନଙ୍କ ପାଇଁ ଦ୍ୱିତୀୟ ଭଗବାନ । କିନ୍ତୁ ଡାକ୍ତରମାନେ ଯଦି ମିଛ କହି ରୋଗୀଙ୍କ ଚିକିତ୍ସା କରିବେ ତେବେ ରୋଗୀ କାହା ଉପରେ ବା ଭରଷା କରିବ । ତେବେ ଆମେ ଏପରି ଜଣେ ଡାକ୍ତରଙ୍କ କଥା କହୁଛୁ ଯିଏ ଚାକିରି ଲୋଭରେ ନିଜ ଜାତିକୁ ବଦଳାଇବାକୁ ପଛାଇଲେନି । ବ୍ରାହ୍ମଣ ଜାତିରେ ହୋଇଥିବାରୁ ନାନା ସମସ୍ୟା ହେଉଥିଲା । ତେଣୁ ନକଲି ଜାତି ପ୍ରମାଣ ପତ୍ର ଦେଖାଇ ପ୍ରଥମେ ପାଠ ପଢ଼ିଲେ । ଏବଂ ପାଠ ପଢ଼ିବା ପରେ ଡାକ୍ତର ମଧ୍ୟ ହେଲେ । ଏକଥା କାହାକୁ ବି ଜଣା ନଥିଲା । ରୋଗୀମାନେ ପ୍ରତ୍ୟେହ ଆସି ତାଙ୍କ ପାଖରେ ଚିକିତ୍ସା କରି ଯାଆନ୍ତି । କିନ୍ତୁ ତାଙ୍କର ଏ ମିଛକୁ କେବେ କେହି ଧରି ପାରି ନଥିଲେ । କିନ୍ତୁ ମିଛ କେତେ ଦିନ ବା ଲୁଚି ରହିବ । ଦିନେ ନା ଦିନେ ତ ଧରା ପଡ଼ିବ ନା । ଠିକ ଏହି ପରି ଡାକ୍ତରଙ୍କ ମିଛ ବି ଏବେ ଧରା ପଡ଼ିଛି । ଆଉ ମିଛର ପର୍ଦ୍ଦାଫାସ କରିଛନ୍ତି ଡାକ୍ତରଙ୍କ ନିଜ ଭାଇ ।

ଡାକ୍ତରଙ୍କ ଅସଲ ନାଁ ହେଉଛି ଦୁର୍ଗା ଦତ୍ତ ଶାସନୀ କିନ୍ତୁ ଚାକିରୀ ଲୋଭରେ ନିଜ ନାଁକୁ ଦୁର୍ଗା ଦତ୍ତ ଜାନୀରେ ପରିବର୍ତ୍ତନ କରିଥିଲେ । ବାବୁ ଜଣକ ଆନେସ୍ଥେସିୟା ବିଭାଗର ଡାକ୍ତର । ଜାତିରେ ସେ ବ୍ରାହ୍ମଣ । କିନ୍ତୁ ଆଦିବାସୀ ଜାତି ପ୍ରମାଣ ହାସଲ କରି ପାଠ ପଢି ଡାକ୍ତର ହୋଇଥିବା ଅଭିଯୋଗ ହୋଇଛି । ଏଭଳିି ଅଭିଯୋଗ କରିଛନ୍ତି ତାଙ୍କ ନିଜ ଭାଇ । ଫଳରେ ସେମିଳିଗୁଡା ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ସେ କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ସମବାୟ କଲୋନିର ଶାସନୀ ପରିବାରର ସଦସ୍ୟ । ତାଙ୍କ ସାନ ଭାଇ ଅମ୍ବିକା ପ୍ରସାଦଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ଦୁର୍ଗାଦତ୍ତ ବ୍ରହ୍ମପୁର MKCG ରେ ଆନେସ୍ଥେସିଆ ବିଭାଗରେ କାର୍ଯ୍ୟରତ । ନିଜକୁ ଆଦିବାସୀ ଦର୍ଶାଇ ପାଠ ପଢିବା ସହିତ ସହକାରୀ ଡାକ୍ତର ଭାବେ କାର୍ଯ୍ୟ କରିଆସୁଛନ୍ତି । ଭାଇ ଭାଇ ମଧ୍ୟରେ ବିବାଦ ଘଟିବା ପରେ ଏଭଳି କଥା ବାହାରେ ପ୍ରଘଟ ହୋଇଛି । ଡାକ୍ତର ଜଣଙ୍କ ନିଜ ସାନ ଭାଇକୁ ହଇରାଣ ହରକତ କରିବା ଫଳରେ ସେ ବାଧ୍ୟ ହୋଇ ଗତ ଜୁଲାଇ ମାସରେ ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ସମସ୍ତ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.