ମାଲିକ ପାଖରେ ବିଶ୍ବାସନୀୟତାର ପରିଚୟ ଦେଲା କୁକୁର, ଘର ଭିତରକୁ ପଶିବାକୁ ଦେଲାନି ଅହିରାଜ ସାପକୁ

ଭଞ୍ଜନଗର : ବିଶ୍ବାସ ଏମିତି ଏକ ଶବ୍ଦ ଯାହା ବିପଦ ସମୟରେ ମଣିଷକୁ ନିଜର ଓ ପର ଭିତରେ ପାର୍ଥକ୍ୟ ଜଣାଇ ଦିଏ । ଯାହାର ଉଦାହରଣ ପାଲଟିଛି, ଏକ ଦେଶୀ ବୁଲା କୁକୁର । ସିଏ ନିଜ ମାଲିକ ପାଖରେ ବିଶ୍ବାସନୀୟତାର ପରିଚୟ ଦେଇଛି । ସୂଚନାନୁଯାୟୀ, ମାଲିକଙ୍କ ଘରେ କେହି ନଥିବା ବେଳେ, ଘର ଭିତରକୁ ପଶିବାକୁ ଯାଉଥିବା, ଏକ ଅହିରାଜ ବା ଭୟଙ୍କର କିଙ୍ଗ କୋବ୍ରାକୁ ସାପକୁ ଅଟକାଇଛି କୁକୁରଟି । ତା’ସହ ଲଢ଼ିଛି । ଏମିତି ଏକ ବିରଳ ଘଟଣା ଘଟିଛି, ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ବଣିଆପଲ୍ଲୀ ଗାଁ ରେ ।

ଗାଁ ଚାରିପଟେ ଜଙ୍ଗଲ ଓ ପାହାଡ଼ ।ଏହି ଗାଁର ବଲ୍ଲଭ ନାୟକ ନାମକ ଜଣେ ବ୍ୟକ୍ତି ଏକ ଦେଶୀ କୁକୁର ପାଳିଥିଲେ । ସେଦିନ ଘରେ କେହି ନଥାନ୍ତି । ଘରର କବାଟ ଖୋଲାଥାଏ । ସେହି ସମୟରେ ପାଖ ଜଙ୍ଗଲରୁ ଏକ ଅହିରାଜ ସାପ ଆସି, ବଲ୍ଲଭଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା । ହେଲେ କୁକୁରଟି , ସାପକୁ ଘର ଭିତରକୁ ଯିବାକୁ ଦେଇନଥିଲା । ସାପ ସହ କିଛି ସମୟ ଲଢିଥିଲା ।

କୁକୁର ଦେହରେ ସାପଟି ଗୁଡେ଼ଇ ହୋଇଯାଇଥାଏ । ଯାହାଫଳରେ କୁକୁରଟି ଜୋରରେ ଭୁକିବାରୁ, ସାହି ପଡିଶା ଲୋକେ ଆସି ସାପ ନିକଟରୁ କୁକୁରକୁ ଉଦ୍ଧାର କରିଥିଲେ । ଏକ ନିଶ୍ଚିତ ବିପଦରୁ ଘର ଲୋକେ ବର୍ତ୍ତି ଯାଇଥିଲେ । ଏବେ କୁକୁରଟି ସୁସ୍ଥ ଅଛି । ତେବେ କୁକୁରଟିର ବିଶ୍ବାନୀୟତା ଯୋଗୁଁ, ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.