ଦିବ୍ୟାଙ୍ଗ ଗାୟକମାନଙ୍କୁ ଇଏସ୍ଆଇ କାର୍ଯ୍ୟାଳୟ ତରଫରୁ ବାଦ୍ୟଯନ୍ତ୍ର ପ୍ରଦାନ
ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱର ସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି କାର୍ଯ୍ୟାଳୟ ପକ୍ଷରୁ ମହତ୍ କାର୍ଯ୍ୟ । ଏହାର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ଦୃଷ୍ଟିହୀନ ଗାୟକମାନଙ୍କୁ ଏକ କ୍ୟାସିଓ ବାଦ୍ୟ ଯନ୍ତ୍ର ପ୍ରଦାନ କରାଯାଇଛି । ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ଚ୍ୟାରିଟି ଫାଉଣ୍ଡେସନ୍ ଟ୍ରଷ୍ଟକୁ ଏହି ବାଦ୍ୟ ଯନ୍ତ୍ରଟି ଦିଆଯାଇଛି ।
ଅନେକ ଶିକ୍ଷିତ କିନ୍ତୁ ଦିବ୍ୟାଙ୍ଗମାନଙ୍କୁ ନେଇ ଏହି ଟ୍ରଷ୍ଟ ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରିଥାଏ । ସଂଗୀତ ମହାବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଏହି ପିଲାମାନେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ସଂଗୀତ ପରିବେଷଣ କରିବା ସହ ସ୍ୱାବଲମ୍ବୀ ହେବାକୁ ପ୍ରୟାସ ଚଳାଇଛନ୍ତି । ସେମାନଙ୍କ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିବା ପାଇଁ ଇଏସ୍ଆଇ ତରଫରୁ ସାଧାରଣତନ୍ତ୍ର ଦିବସ ଅବସରରେ ଏହି କ୍ୟାସିଓଟି ପ୍ରଦାନ କରାଯାଇଛି । ଏଥିରେ ଉଭୟ କାର୍ଯ୍ୟାଳୟର ଅଧିକାରୀ ଏବଂ ଇଣ୍ଡିଆନ୍ ଚ୍ୟାରିଟି ଫାଉଣ୍ଡେସନ୍ର ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି ।