ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ କରାଗଲା ପ୍ରଦାନ

ଜନଜାତି ବିଶ୍ୱବିଦ୍ୟାଳୟ ହୋଇଥିବାରୁ ସେମାନଙ୍କ ପରମ୍ପରା ଅନୁସାରେ ପ୍ରଥମେ ସେମାନଙ୍କ ଦେବତାଙ୍କୁ ପୂଜା କରାଯାଇ ଡ. ସାମନ୍ତଙ୍କୁ ସମ୍ମାନସୂଚକ ପ୍ରଦାନ ନିମନ୍ତେ ଅନୁମତି ଅଣାଯାଇଥିଲା । ପରେ ସମ୍ପୂର୍ଣ୍ଣ ସବୁଜିମା ଓ ପ୍ରାକୃତିକ ପରିବେଶରେ ଡ. ସାମନ୍ତ ଏବଂ ତାଙ୍କୁ ମିଳିବାକୁ ଥିବା ସମ୍ମାନସୂଚକ ଡିଗ୍ରୀକୁ ଗୁଏତମାଲାର ଜନଜାତି ପରମ୍ପରା ଅନୁସାରେ ଦୀର୍ଘ ୪ଘଣ୍ଟା ପୂଜାର୍ଚ୍ଚନା କରାଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ। ଗୁଏତମାଲାର ରୁରାଲ ୟୁନିଭରସିଟି ଅଫ୍ ଗୁଏତମାଲା ଓ ମାୟା କାକ୍ଚିକେଲ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । ଏହା ହେଉଛି ଡ. ସାମନ୍ତଙ୍କ ୫୪ ଓ ୫୫ତମ ସମ୍ମାନସୂଚକ ଡକ୍ଟୋରେଟ୍ । ଶିକ୍ଷା ଓ ସମାଜସେବା ବିଶେଷକରି ଜନଜାତି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ରୁରାଲ ୟୁନିଭରସିଟି ଅଫ୍ ଗୁଏତମାଲାର ରେକ୍ଟର ତଥା ପ୍ରତିଷ୍ଠାତା ଡ. ଫିଡେଲ୍ ରେସ୍ ଲି ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫୪ତମ ଡକ୍ଟୋରେଟ୍ ପ୍ରଦାନ କରିଥିଲେ। ସେହିପରି ମାୟା କାକ୍ଚିକେଲ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଓ ସ୍ୱତନ୍ତ୍ର ସ୍ଥାନୀୟ ଜନଜାତି ପରମ୍ପରାରେ ଡ. ସାମନ୍ତଙ୍କୁ ଅଭିଷିକ୍ତ କରିବା ପରେ ୫୫ତମ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟଟି ଏକ ଜନଜାତି ବିଶ୍ୱବିଦ୍ୟାଳୟ ହୋଇଥିବାରୁ ସେମାନଙ୍କ ପରମ୍ପରା ଅନୁସାରେ ପ୍ରଥମେ ସେମାନଙ୍କ ଦେବତାଙ୍କୁ ପୂଜା କରାଯାଇ ଡ. ସାମନ୍ତଙ୍କୁ ସମ୍ମାନସୂଚକ ପ୍ରଦାନ ନିମନ୍ତେ ଅନୁମତି ଅଣାଯାଇଥିଲା । ପରେ ସମ୍ପୂର୍ଣ୍ଣ ସବୁଜିମା ଓ ପ୍ରାକୃତିକ ପରିବେଶରେ ଡ. ସାମନ୍ତ ଏବଂ ତାଙ୍କୁ ମିଳିବାକୁ ଥିବା ସମ୍ମାନସୂଚକ ଡିଗ୍ରୀକୁ ଗୁଏତମାଲାର ଜନଜାତି ପରମ୍ପରା ଅନୁସାରେ ଦୀର୍ଘ ୪ଘଣ୍ଟା ପୂଜାର୍ଚ୍ଚନା କରାଯାଇଥିଲା ।

ଏକ ନିଆରା ଢ଼ଙ୍ଗରେ ହୋମ କରାଯାଇଥିଲା । ଏଥିରେ ଘିଅ ବଦଳରେ ମାଦକଦ୍ରବ୍ୟ ଆହୁତି ପ୍ରଦାନ କରାଯିବା ପରେ ଏହି ଡିଗ୍ରୀକୁ ଡ. ସାମନ୍ତଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମାୟା କାକ୍ଚିକେଲ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା, ସେଠାକାର ନୋବେଲ୍ ବିଜେତା, ଗୁଏତାମାଲାରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଏବଂ ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାଙ୍କ ଉପସ୍ଥିତ ଥିଲେ । ଗୁଏତମାଲା ହେଉଛି କେନ୍ଦ୍ରୀୟ ଆମେରିକାର ଏକ ବିକାଶଶୀଳ ଦେଶ । ଡ. ସାମନ୍ତଙ୍କ ଗୁଏତମାଲା ଗସ୍ତ ଅବସରରେ ଗୁଏତମାଲାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଡ. ସାମନ୍ତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଗୁଏତମାଲାର ଉପରାଷ୍ଟ୍ରପତି, ୨୦ରୁ ଅଧିକ ମନ୍ତ୍ରୀ, ଉପମନ୍ତ୍ରୀ, ୫୦ରୁ ଅଧିକ ସାଂସଦ ଓ ନିର୍ବାଚନ କମିଶନରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଡ. ସାମନ୍ତ ଓଡ଼ିଶା ଓ ଭାରତ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.