ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣାଗ୍ରସ୍ତ , ଡ୍ରାଇଭର ମୃତ ହେଲପର ଆହତ

ଟାଙ୍ଗୀ(କେନ୍ଯୁଜ୍): ଆଜି ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ ଛକ ନିକଟରେ ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଟ୍ରକ ତଳେ ଚାପି ହୋଇ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଖବର ପାଇ ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନସ ପହଂଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତ ହେଲପରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ଆହତ ହେଲପରଙ୍କ ନାମ ସେକ ବସିରୁଧିନ ଓ ଟ୍ରକ୍ ଡ୍ରାଇଭର ର ନାମ ରାଜେଶ ମଲିକ ଏବଂ ବୟସ ୩୨ ଵର୍ଷ ହୋଇଥିବା ବେଳେ ଉଭୟଙ୍କ ଘର ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଅଂଚଳରେ ବୋଲି ତାଙ୍କ ଠାରୁ ଠାବ କରାଯାଇଥିବା ପରିଚୟ ପତ୍ରରୁ ଜଣା ପଡିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ନଂ WB 41J 4905 ଟି କୋଲକୋତାରୁ ଚେନ୍ନାଇ ଅଭିମୁଖେ ଯାଉଥିଲା । ଟ୍ରକ୍ ଟି ବିଲ ଗହୀରକୁ ଓଲଟି ପଡିଥିବା ବେଳେ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି। ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ୍ ପହଂଚି ଶବ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.