ନିଜେ ମରିଗଲେ ଡ୍ରାଇଭର କିନ୍ତୁ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୪୦ ଜଣ ଯାତ୍ରୀଙ୍କ ଜୀବନ

ଜୟପୁର : ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଧାର ହେଉ, ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବସ୍‌ ଚାଳକ। ଜୟପୁରରୁ ଭୁବନେଶ୍ୱର ଆସୁଥିଲା ଏକ ଯାତ୍ରୀବାହୀ ବସ୍‌, କିନ୍ତୁ ହଠାତ୍‌ ଏହି ସମୟରେ ଡ୍ରାଇଭରଙ୍କୁ ହେଲା ହୃଦଘାତ। ତେବେ ଡ୍ରାଇଭର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ କିନ୍ତୁ ସେ ନିଜ ଜୀବନକୁ ଖାତିର ନ କରି ବସକୁ ଅଟକାଇଦେଲେ ଓ ଗାଡ଼ିରେ ଥିବା ୪୦ ଜଣ ଯାତ୍ରୀଙ୍କ ଜୀବନ ବଂଚାଇଦେଲେ।

ଯାତ୍ରୀଙ୍କର ଜୀବନ ସିନା ବଞ୍ଚାଇଦେଲେ କିନ୍ତୁ ନିଜକୁ ମୃତ୍ୟୁ ମୁଖରୁ ଫେରାଇପାରିଲେ ନାହିଁ। ତେବେ ହୃଦଘାତରେ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି। ତେବେ ସୂଚନା ଅନୁଯାୟୀ ଯୋଗୀ ସେଠି ନାମକ ଜଣେ ଡ୍ରାଇଭର ଏହି ବସକୁ ଚଲାଉଥିଲେ। ଜୟପୁରରୁ ରାତି ୯ଟାରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ରିଲାଏନ୍ସ ନାମକ ବସ ।

ତେବେ ବସଟି ଆନ୍ଧ୍ରପ୍ରଦେଶ ଦେଇ ଯାଉଥିବାବେଳେ ହଠାତ ଚେତିଲି ନିକଟରେ ଯୋଗୀଙ୍କୁ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ଯୋଗୀ ଏଭଳି ଅବସ୍ଥାରେ ଯାତ୍ରୀ ଭର୍ତ୍ତି ବସକୁ ରାସ୍ତା କଡକୁ ନେଇଯାଇଥିଲେ। ଏହା ପରେ ହୃଦଘାତରେ ଯୋଗୀଙ୍କ ପ୍ରାଣ ଚାଲିଯାଇଥିଲା। ତେବେ ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀଙ୍କ ଜୀବନ ବଂଚିଯାଇଛି ହେଲେ ନିଜକୁ ରକ୍ଷା କରପାରିଲେନି ଯୋଗୀ।