ଅର୍ଚ୍ଚନା ମାମଲାରେ ତଦନ୍ତ କରିବ ଇଡି, ୨ଟି ଏତଲା କପି ହସ୍ତାନ୍ତର କଲା କମିସନରେଟ ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ବେଆଇନ ଟଙ୍କା କାରବାରର ହେବ ପର୍ଦ୍ଧାଫାସ୍‌ । ଆର୍ଥିକ କାରବାରର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଇଡିକୁ FIR କପି ହସ୍ତାନ୍ତର କରିଛି କମିଶନରେଟ ପୋଲିସ । ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନାରେ ହୋଇଥିବା FIR କପିକୁ ହସ୍ତାନ୍ତର କରାଯାଇଛି । ସେପଟେ ଆଜି ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନର ଆସିପାରେ ରାୟ । ଜେଲରେ ରହିବେ ନା ବେଲରେ ବାହାରିବେ । କିଛି ସମୟ ପରେ ସ୍ପଷ୍ଟ ହେବ ।

ଗତକାଲି ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଛି । ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଅର୍ଚ୍ଚନାଙ୍କୁ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇ ଅର୍ଚ୍ଚନା ୩ କୋଟି ଟଙ୍କା ମାଗିଥିବା ନେଇ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଗିରଫ ପରେ ଗତକାଲି ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଅର୍ଚ୍ଚନା ନାଗ । କହିଥିଲେ, ସେ କାହାରିକୁ ବ୍ଲାକମେଲିଂ କରିନାହାନ୍ତି । ସବୁ ଅଭିଯୋଗ ମିଛ । ତଦନ୍ତ ହେଉ ସତ ବାହାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.