ଆଉ ବେସନ କି ବୁନ୍ଦି ଲଡ଼ୁ ନୁହେଁ, ଏଥର ଟ୍ରାଏ କରନ୍ତୁ ପାନର ଲଡ଼ୁ; ନୋଟ୍‌ କରି ନିଅନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଆପଣ ବିଭିନ୍ନ ପ୍ରକାର ଲଡ଼ୁ ଖାଇଥିବେ। ବେସନ ଓ ବୁନ୍ଦିରୁ ତିଆରି ଲଡ଼ୁ ତ ଆପଣ ଅନେକ ଥର ଖାଇଥିବେ ଏବଂ ଖୁଆଇ ଥିବେ। କିନ୍ତୁ ଏହି ଫେଷ୍ଟିଭ୍‌ ଋତୁରେ ନିଜ ଟେଷ୍ଟ୍‍ରେ ସାମାନ୍ୟ ପରିବର୍ତ୍ତନ କରି ଟ୍ରାଏ କରନ୍ତୁ ପାନର ଲଡ଼ୁ। ଏହି ଲଡ଼ୁ ବହୁତ ନିଆରା, ଯାହାକୁ ଘରେ ବହୁତ ସହଜରେ ପ୍ରସ୍ତୁତ କରାଯାଇ ପାରିବ। ଏହାକୁ ତିଆରି କରିବାରେ ଆପଣଙ୍କୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ। ଆସନ୍ତୁ ଜାଣିବା, କିପରି ତିଆରି କରାଯାଏ ପାନର ଲଡ଼ୁ।

ପାନର ଲଡ଼ୁ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ

ଖୁଆ- ଅଧ କପ୍‌

ପେଠା (ଏକ ସ୍ୱିଟ୍‌ କ୍ୟାଣ୍ଡି, ଯାହା ଲାଉ/ପାଣିକଖାରୁରୁ ତିଆରି)- ଅଧ କପ୍‌

କାଜୁ- ୬ଟା

ପାନପତ୍ର- ୬ଟା

ଗୁଲକନ୍ଦ- ଅଧ ତାଟିଆ/ପାତ୍ର (ଛୋଟ)

ତାଜା ଗୋଲାପ ପାଖୁଡ଼ା- ୨ଟି ଗୋଲାପ

କୋରା ନଡ଼ିଆ- ଅଧ କପ୍‌

କନ୍‌ଣ୍ଡେସ୍‌ଡ ମିଲ୍କ- ୩ ଚାମଚ

ପାନମଧୁରୀ ଗୁଣ୍ଡ- ୧ ଚାମଚ

ଅଳେଇଚ- ଅଧ ଚାମଚ

ନଡ଼ିଆ ଝୁରା- ୪ ଚାମଚ

ଗ୍ରାଉଣ୍ଡ ପପି ସିରପ୍‌

ପାନ ଲଡ଼ୁ ତିଆରି ପ୍ରଣାଳୀ

ପାନ ଲଡ଼ୁ ତିଆରି କରିବା ପାଇଁ ପ୍ରଥମେ ଏକ ବଡ଼ ପାତ୍ରରେ ପେଠା, ଖୁଆ ଓ ନଡ଼ିଆ କୋରାକୁ ଭଲ ଭାବରେ ଗୋଳାଇ ରଖି ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ କନ୍‌ଣ୍ଡେସ୍‌ଡ ମିଲ୍କ, ପାନମଧୁରୀ ଗୁଣ୍ଡ, ଅଳେଇଚ ଓ କଟା ହୋଇଥିବା କାଜୁକୁ ପକାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏବେ ପାନ ପତ୍ରକୁ ଛୋଟ ଛୋଟ ଖଣ୍ଡରେ କାଟି ମିକ୍ସ କରି ନିଅନ୍ତୁ ଏବଂ ଫ୍ରିଜ୍‌ରେ ୧୦ ମିନିଟ୍‌ ପାଇଁ ରଖି ଦିଅନ୍ତୁ। ଯେତେବେଳେ ଏହି ମିଶ୍ରଣ ସେଟ୍‌ ହୋଇଯିବ, ତ ଲଡ଼ୁ ଗଢ଼ିବା ଆରମ୍ଭ କରନ୍ତୁ। ଲଡ଼ୁ ମଝିରେ ଗୁଲକନ୍ଦ ଦେଇ ଏହାକୁ ଗୋଲ ଗୋଲ କରନ୍ତୁ। ଏବେ ଲଡ଼ୁର କୋଟିଂ ପାଇଁ ନଡ଼ିଆର ଶୁଷ୍କ ଝୁରା, ଗ୍ରାଉଣ୍ଡ ପପି ସିରପ୍‌ ଓ ଅଧା ଚାମଚ ପାନମଧୁରୀ ମିଶାଇ ଦିଅନ୍ତୁ। ଏହାପରେ ଲଡ଼ୁକୁ ଗୋଲାପ ପାଖୁଡ଼ାରେ ସଜାଇ ସର୍ଭ କରନ୍ତୁ।