୧୨ତାରିଖ ସୁଦ୍ଧା ଭୁବନେଶ୍ୱରରେ ସରିବ ବିଦ୍ୟୁତ ଯୋଗାଣ କାର୍ଯ୍ୟ, ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି କାମ

ଆସନ୍ତା ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ବିଦ୍ୟୁତ ଯୋଗାଣ କାମ ସଂପୂର୍ଣ୍ଣ ହେବ। ଏହାସହ ପୁରୀରେ ୧୨ତାରିଖରୁ ବିଦ୍ୟୁତ ଯୋଗାଣ କାମ ଆରମ୍ଭ ହେବ। କିନ୍ତୁ ପୁରୀରେ କାମ ସଂପୂର୍ଣ୍ଣ ହେବାକୁ ବେଶ କିଛି ଦିନ ଲାଗିଯିବ। ବର୍ତ୍ତମାନ ବିଦ୍ୟୁତ ସେବା ଯୋଗାଇବାକୁ ଦିନରାତିରେ କାମରେ ଲାଗିଛନ୍ତି ପ୍ରାୟ ୮ହଜାର ଶ୍ରମିକ। ଏହାସହ ବାହାରୁ ଆଉ ୩ଶହ ଗ୍ୟାଙ୍ଗ ଆସୁଛନ୍ତି।

ପ୍ରବଳ ତାତି । ତା ସାଙ୍ଗକୁ ଗୁଳୁଗୁଳି। ଘରକୁ ବିଦ୍ୟୁତ ଯୋଗାଣ ନାହିଁ। ଡହଳ ବିକଳ ହେଲେଣି ଲୋକେ। ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ବିଦ୍ୟୁତ୍‌ ଯୋଗାଣ। ଟାଣ ଖରା ଭିତରେ କାମରେ ଲାଗିଛନ୍ତି ଶ୍ରମିକ। ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପ୍ରାଥମିକ ଭାବେ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି। ପ୍ରାୟ ୮, ୦୦୦ ଶ୍ରମିକ ନିୟୋଜିତ ଅଛନ୍ତି। ଓଡ଼ିଶାର ୫ ହଜାର କୁଶଳୀ ଶ୍ରମିକ କାମରେ ଲାଗିଛନ୍ତି। ଏହାସହ ଦିଲ୍ଲୀ, ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ମଧ୍ୟ ପ୍ରାୟ ୩ ହଜାର ଶ୍ରମିକ ଆସିଛନ୍ତି।

Cyclone Puri

ଭୁବନେଶ୍ୱରରେ ହସ୍ପିଟାଲ, ବିମାନ ବନ୍ଦର, ରେଲେଓ୍ଵ ଷ୍ଟେସନକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରାଜଧାନୀର କିଛି ସବ୍‌ଷ୍ଟେସନ୍‌ ଚାର୍ଜ କରାଯାଇଛି। ରାଜଧାନୀରେ ସେସୁର ତିନିଟି ଡିଭିଜନ ରହିଛି। ସେଥିରେ ଥିବା ୧୪୯ ଫିଡରରୁ ୬୬ଟି ଫିଡରରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୮୦ ପ୍ରତିଶତ ପାୱାର ରିଷ୍ଟୋରେସନ ହେବ। ୧୨ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ। ପୁରୀରୁ କିନ୍ତୁ ୧୨ ତାରିଖରୁ ବିଦ୍ୟୁତ ଯୋଗାଣ କାମ ଆରମ୍ଭ ହେବ। ପୁରୀରେ କ୍ଷତି ପରିମାଣ ବହୁ ଅଧିକ ଥିବାରୁ ସେଠାରେ କାମ ସଂପୂର୍ଣ୍ଣ ହେବାକୁ ସମୟ ଲାଗିବ ବୋଲି କୁହାଯାଇଛି।

ଫନି ପରବର୍ତ୍ତୀ ବିଦ୍ୟୁତ ଭିତ୍ତିଭୂମିର ପୁନଃ ଉଦ୍ଧାର କାମ ପାଇଁ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଗୁଡିକୁ କଡ଼ା ନିର୍ଦ୍ଦେଶ। ଆସନ୍ତା ୧୦ ସକାଳ ୧୦ ସୁଦ୍ଧା ପ୍ରମୁଖ ବିଦ୍ୟୁତ ନିରୀକ୍ଷକଙ୍କଠାରେ ରିପୋର୍ଟ କରିବେ କଣ୍ଟ୍ରାକ୍ଟରମାନଙ୍କ ଅଧିନରେ କାମ କରୁଥିବା ସମସ୍ତ ଶ୍ରମିକ ଗ୍ୟାଙ୍ଗ ଓ ସୁପରଭାଇଜର। ଏହି ନିର୍ଦ୍ଦେଶକୁ ଅବମାନନା କଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। ଏହାସହ ଘରକୁ ବିଦ୍ୟୁତ ସଂଯୋଗ ଆସିବା ସମୟରେ ଗ୍ରାହକଙ୍କୁ ସାବଧାନ ରହିବାକୁ କୁହାଯାଇଛି। ନିଜ ସର୍ଭିସ ଲାଇନ ସଜାଡି ରଖିବାକୁ କୁହାଯାଇଛି। ସର୍ଭିସ ଲାଇନ ଯାଞ୍ଚ ପାଇଁ ଆଇଟିଆଇ ଓ ପଲିଟେକନିକ୍‌ ଛାତ୍ରଙ୍କୁ ଉପଯୋଗ କରିବାକୁ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.