କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ: ଭାଙ୍ଗିଲା ପଟ୍ରୋଲିଂ ଗାଡ଼ି, ୬ ବନ କର୍ମଚାରୀ ଆହତ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ।  ଘଉଡ଼ାଇବାକୁ ଯାଇଥିବା ୬ଜଣ ବନକର୍ମଚାରୀ ଆହତ। ଖାଲି ସେତିକି ନୁହେଁ ହାତୀଟି ହିଂସ୍ରମୁଖ ହୋଇ ପଟ୍ରୋଲିଂ କରୁଥିବା ବୋଲେରୋ ଗାଡ଼ିକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ ଅଧୀନ ଗୋଡି଼ଖେଳା ନିକଟ ଖୁମକୁଟ ଅଞ୍ଚଳରେ ଏକ ଦନ୍ତା ହାତୀ ଉପଦ୍ରବ ଘଟାଇ ଚାଲିଥିବା ସମ୍ପର୍କରେ କୁଲଡିହା ବନବିଭାଗକୁ ଖବର ଆସିଥିଲା। ଏନେଇ ବନପାଳ ଭାଗ୍ୟଶ୍ରୀ ଦ୍ବିବେଦୀ, ବନରକ୍ଷୀ ଶଶିକଳା ସାହୁ ଓ ଅନ୍ୟ ୪ଜଣ ସବୁଜବାହିନୀ କର୍ମଚାରୀ ରାତି ସାଢ଼େ ୧୦ଟାରେ ସେଠାରେ ପହଞ୍ଚି ଉକ୍ତ ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।

୧ଘଣ୍ଟା ଧରି ଏହି ଦନ୍ତାଟି ବନବିଭାଗ କର୍ମଚାରୀଙ୍କ ସହ ଦୌଡା ଦୌଡ଼ି କରିବା ପରେ ଶେଷରେ ପାଟ୍ରୋଲିଂରେ ଯାଇଥିବା ବୋଲେରୋକୁ ଠେଲି ଠେଲି ଏକ ନାଳ ଭିତରେ ଫିଙ୍ଗି ଦେଇଥିବା ବେଳେ ଭିତରେ ବସିଥିବା ୬ଜଣ କର୍ମଚାରୀ ଆହତ ହୋଇଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଳକ ମୁନ୍ନା ରାଉତ ବାରମ୍ବାର ହର୍ଣ୍ଣ ବଜାଇବା ଯୋଗୁ ହାତୀଟି ସ୍ଥାନ ଛାଡି ଜଙ୍ଗଲକୁ ପଳାଇଯାଇଥିଲା । ଏହାପରେ କର୍ମଚାରୀମାନେ ଗାଡ଼ି ଭିତରୁ ବାହାରି ଥିଲେ। ଏହି ହାତୀ ଆକ୍ରମଣରେ ବନ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ବନପାଳ ଶ୍ରୀମତୀ ଦ୍ବିବେଦୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.