ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ୮୫ ବର୍ଷ ବୟସରେ ପରଲୋକ, ଅସୁସ୍ଥତା କାରଣରୁ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକେ । ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ମଲ୍‌ଟି ଅରଗାନ୍‌ କାମ କରୁନଥିବା ତାଙ୍କ ଭାଇ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱରରେ ତାଙ୍କର ଶେଷକୃତ୍ୟ କରାଯିବ ।

୧୯୩୬ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ ମହାପାତ୍ର । ୧୯୫୭ ମସିହାରେ ଖଡ଼ଗପୁର ଆଇଆଇଟିରୁ ଆପ୍ଲାଏଡ୍‌ ଜିଓଲୋଜି ଏବଂ ଜିଓଫିଜିକ୍ସରେ ବିଏସ୍‌ସି କରିଛନ୍ତି । ଖଣି ଓ ଭୂବିଜ୍ଞାନ ଜିଓଲୋଜିଷ୍ଟ ଭାବେ କାମ କରୁଥିବା ଶାନ୍ତନୁ ମହାପାତ୍ର ନିର୍ଦ୍ଦେଶକ ଭାବେ ୧୯୯୪ରେ ଅବସର ନେଇଥିଲେ । ବହୁମୁଖୀ ବ୍ୟକ୍ତିତ୍ୱ ଶାନ୍ତନୁ ମହାପାତ୍ର ଉଭୟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶନାରେ ନିଜର ପ୍ରତିଭା ଦେଖାଇଥିଲେ ।

ସେ ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓଡ଼ିଆ, ହିନ୍ଦି, ବେଙ୍ଗଲୀ, ଆସାମ ଓ ତେଲୁଗୁ ପରି ୫ଟି ଭାଷରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କ ନିର୍ଦ୍ଦେଶନାରେ ଲତା ମଙ୍ଗେସକର ଓ ମହମ୍ମଦ ରଫି ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସୁରେଶ ଓ୍ଵାଡେକର, ଅଭିଜିତ୍‌, ଅନୁରାଧା ପୋଡଓ୍ଵାଲ, କବିତା କୃଷ୍ଣମୂର୍ତ୍ତି ଗୀତ ଗାଇଛନ୍ତି ।

ସୂର୍ଯ୍ୟମୁଖୀ, ଅରୁନ୍ଧତୀ, ଦୋରା, ଚିଲିକା ତୀରେ, ପ୍ରିୟତମା, ଅଗ୍ନିପରୀକ୍ଷା, ମେଘମୁକ୍ତି, ଶୀତ ରାତି, ଜୀବନ ସଂଗ୍ରାମ ପରି ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଶେଷ ସିନେମା ଥିଲା ପଥର ଖସୁଛି ବଡ଼ ଦେଉଳୁ । ଆକାଶବାଣୀ ଓ ଦୂରଦର୍ଶନରେ ୩୦ ବର୍ଷରୁ ଅଧିକ ସମୟ ହେବ ସେ ଶତାଧିକ ଓଡ଼ିଆ ଆଧୁନିକ ଗୀତ ରଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.