ଯାଜପୁର : ସହର ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପିତ ହେଲେ ସଢ଼େଇ ପୋଖରୀ ବାସିନ୍ଦା

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ସହର ଉପକଣ୍ଠ ସଢେଇ ପୋଖରୀ ଅଞ୍ଚଳରେ ହେବାକୁ ଥିବା ସୌନ୍ଦର୍ଯ୍ଯ କରଣ ପାଇଁ ଆଜି ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ ପକ୍ଷରୁ ଗୋଚର ଜମିରେ ରହିଥିବା ୪୦ରୁ ୫୦ ପରିବାରକୁ ଉଚ୍ଛେଦ କରାଯାଇ ଓସ୍ତପଡିଆ ଠାରେ ସେମାନଙ୍କୁ ଟ୍ରାନଜିଟ କ୍ଯାମ୍ପରେ ଥଇଥାନ କରାଯାଇଛି। ଏହି ବିସ୍ଥାପନ ସମୟରେ କେତେକ ବିରୋଧ କରି ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଉଚ୍ଛେଦ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ସେପଟେ ସରକାରୀ ଜାଗାରେ ଏହି ପରିବାର ସବୁ ରହୁଥିବାରୁ ସେମାନଙ୍କୁ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ବୋଲି ତହସିଲଦାର କହିଛନ୍ତି।

ଏହି ସ୍ଥାନରେ ସେମାନେ ବର୍ଷ ବର୍ଷ ଧରି ରହି ଆସୁଥିଲେ । ତେବେ ସେହି ପରିବାରକୁ ଏବେ ସେମାନଙ୍କ ଭିଟାମାଟି ହରାଇବାକୁ ପଡିଛି। ଏହି ସଢେଇ ପୋଖରୀ ଅଞ୍ଚଳର ସୌନ୍ଦର୍ଯ୍ଯ କରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ୭ ଏକରରୁ ଊର୍ଦ୍ଧ୍ଵ ଜମିକୁ ଅଧିଗ୍ରହଣ କରାଯିବ। ଏହି ସବୁ ଗୋଚର ଜମିରେ ରହୁଥିବା ପରିବାରକୁ ପୂର୍ବରୁ ନୋଟିସ ଦିଆଯାଇଥିବା ବେଳେ ଆଜି ହଠାତ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଯାହାକୁ କେତେକ ପରିବାର ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ପର୍ଯ୍ଯାପ୍ତ ସମୟ ଦିଆ ଯାଇନଥିବା ନେଇ ଅସନ୍ତୋଷ ଜାହିର କରିଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ପ୍ରବେଶ ପଥରେ ରାଜା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହିତ ପୋଖରୀର ପୁନରୁଦ୍ଧାର କରାଯିବ । ତେବେ ବିସ୍ଥାପିତ ପରିବାରଙ୍କୁ ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଯାଜପୁର ତହସିଲଦାର ସୂଚନା ଦେଇଛନ୍ତି। ଏଥିସହିତ ବିସ୍ଥାପିତମାନଙ୍କୁ ଓସ୍ତପଡିଆ ଠାରେ ଟ୍ରାନଜିଟ କ୍ୟାମ୍ପରେ ରଖିବାର ପ୍ରଶାସନ ବ୍ଯବସ୍ଥା କରିଛି। ସେପଟେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଘଟଣା ସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

ବିସ୍ଥାପିତମାନଙ୍କୁ ଓସ୍ତପଡ଼ିଆ ଠାରେ ରହିବା ପାଇଁ ଅସ୍ଥାୟୀ ଟିଣ ଘର କରାଯାଇଛି ସତ କିନ୍ତୁ ସେଠାରେ କୌଣସି ମୌଳିକ ସୁବିଧା ଯୋଗାଇ ଦିଆଯାଇ ନଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.