ଭୁବନେଶ୍ବର: ବ୍ୟବସାୟୀଙ୍କୁ ଅପହରଣ କରି ନେବା ବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ, ଅଧା ରାସ୍ତାରେ ଛାଡ଼ି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍): ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ। ଅପହରଣ କରି ନେଉଥିବା ବେଳେ ଦୁର୍ଘଟଣାର ଶିକାର ହେଲା କାର୍‌। ଫଳରେ ଅଧା ରାସ୍ତାରେ ବ୍ୟବସାୟୀଙ୍କୁ ଛାଡ଼ି ପଳାଇଲେ ଦୁର୍ବୃତ୍ତ। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟବସାୟୀ ଶିବସୁନ୍ଦର ଦାସଙ୍କୁ ୬ ଜଣ ଦୁର୍ବୃତ୍ତ ଅପରହଣ କରି ନେଉଥିଲେ। ଅଭିଯୋଗ ଅନୁସାରେ, ଗତକାଲି ସିଆର୍‌ପି ନିକଟରେ ଶିବସୁନ୍ଦର ତାଙ୍କ କାର୍‌ରେ ବସିଥିବା ବେଳେ ଇନୋଭା ଗାଡ଼ିରେ ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନେଉଥିଲେ। ଏତିକିବେଳେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଏତିକିବେଳେ ପୋଲିସ ସେଠାରେ ପହଞ୍ଚିବାରୁ କାର୍‌ ଛାଡ଼ି ପଳାଇଥିଲେ ଅପହରଣକାରୀ। ଦୁଇଟି ଗାଡ଼ିକୁ ପୋଲିସ ଜବତ କରିଥିବା ବେଳେ ଇନୋଭା ଗାଡ଼ିରୁ ଦୁଇଟି ବନ୍ଧୁକ ଓ ଗୁଳି ଜବତ କରିଛି।