ଶାଶୁ ଘର ଲୋକେ ଗ୍ରହଣ କରୁନାହାଁନ୍ତି ମୃତ ସ୍ୱାମୀଙ୍କ ଶବ, ସ୍ୱାମୀ ପାଖରେ ବସି ଗୁମୁରୀ ଗୁମୁରୀ କାନ୍ଦୁଛି ସ୍ତ୍ରୀ

ଅଜାତିରେ ପ୍ରେମ ବିବାହ କରିବାର କରୁଣ ପରିଣତିର ଚିତ୍ର ଇଏ । ମୃତଦେହ ଗ୍ରହଣ କଲେନି ପରିବାର। ଶାଶୁ ଘର ଆଗରେ ସ୍ୱାମୀର ଶବ ରଖି ଆଇନର ଦ୍ୱାରସ୍ଥ ହେଲେ ସ୍ତ୍ରୀ।

ଯାଜପୁର (କେନ୍ୟୁଜ) : ଶୁଣୁଛ ତମେ ଏମିତି ମୋତେ ଏକା କରି କେମିତି ଛାଡି ପଳାଇଲ । ଜାଣିଛ ପୁଅ ତୁମକୁ ଭାରି ଝୁରୁଛି । ଆଉ ବିଶ୍ୱାସ କରିପାରୁନି ତମ ଅନୁପସ୍ଥିତିକୁ । ଏତେ ବଡ ଦୁନିଆରେ ମୁଁ ଏକାକୀ କେମିତି ଏମାନଙ୍କୁ ନେଇକି ବଞ୍ଚିବି । ବଞ୍ଚିଥିବାବେଳେ ତ ତମେ ଘରକୁ ଆସିଲନି । ମୁଁ ଛୋଟ ଜାତିର ଝିଅ ବୋଲି ତମେ ଘରେ ରାଜି ହେବେନି କହି କହି ତମେ ଘରକୁ ଆସିଲନି । ଆଜି ତମ ମର ଶରୀରକୁ କିନ୍ତୁ ସେମାନେ ଚାହୁଁନାହାଁନ୍ତି, ଗ୍ରହଣ କରୁନାହାଁନ୍ତି ତୁମର ଶବକୁ ମୋତେ ଆଉ ଆମ ଛୁଆଙ୍କୁ । ତୁମେ କୁହ ମୁଁ ଏତେ ବଡ ଦୁନିଆରେ ଏକା କେମିତି କଣ କରିବି । କେମିତି ତୁମର ଶବସତ୍କାର କରିବି । ସ୍ୱାମୀର ଶବ ପାଖରେ ବସି ଗୁମୁରୀ ଗୁମୁରୀ କାନ୍ଦୁଛି ସ୍ତ୍ରୀ । ଶାଶୁ ଘର ଲୋକେ ଗ୍ରହଣ କରୁନାହାଁନ୍ତି ମୃତ ସ୍ୱାମୀଙ୍କ ଶବ । ୨୦ ଘଣ୍ଟା ଧରି ବସିରହି ବି ମନ ତରଳିଲାନି ଶାଶୂ ଘର ଲୋକଙ୍କର । କାହିଁକିନା ଦୋଷ କେବଳ ଥିଲା ଅଜାତିରେ ପ୍ରେମ ବିବାହ କରିବା।

ଅଜାତିରେ ପ୍ରେମ ବିବାହ କରିବାର କରୁଣ ପରିଣତିର ଚିତ୍ର ଇଏ । ମୃତଦେହ ଗ୍ରହଣ କଲେନି ପରିବାର। ଶାଶୁ ଘର ଆଗରେ ସ୍ୱାମୀର ଶବ ରଖି ଆଇନର ଦ୍ୱାରସ୍ଥ ହେଲେ ସ୍ତ୍ରୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର କୁଆଖିଆ ଥାନା ଅଧିନ ବଡ଼କଇଁଚି ପଞ୍ଚାୟତ ପଞ୍ଚଗୋଛିଆ ଗାଁରେ। ସୂଚନା ମୁତାବକ ଏହି ଗାଁର ବୈଷ୍ଣବ ତରାଇଙ୍କ ଝିଅ ମମତା ସେହି ଗାଁର ମଧୁସୂଦନ ରଥଙ୍କ ପୁଅକୁ ପ୍ରାୟ ୧୫ବର୍ଷ ପୂର୍ବେ ଭଲ ପାଇ ବାହା ହେଇଥିଲେ । କିନ୍ତୁ ଏହି ବିବାହକୁ ଗ୍ରହଣ କଲେନି ରଥ ପରିବାର । ଯାହାପରେ ନବଘନ ମମତାକୁ ନେଇ ଭୁବନେଶ୍ୱର ନେଇଗଲେ । ସେଠାରେ ଏକ ଭଡ଼ା ଘର ନେଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଗତ କିଛି ଦିନ ହେବ ନବଘନଙ୍କର ଦେହ ଖରାପ ହେବାରୁ ତାଙ୍କ ପତ୍ନୀ ପଡ଼ୋଶୀଙ୍କ ସହାୟତାରେ ଆଣି କଟକ ମେଡିକାଲରେ ଭର୍ତ୍ତି କରିଥିଲେ।

କିନ୍ତୁ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ସ୍ୱାମୀ ଆଖି ବୁଜିଦେଲେ । ସ୍ୱାମୀଙ୍କ ଶବକୁ ନେଇ ସ୍ତ୍ରୀ ମମତା ଅପରାହ୍ନରେ ଶାଶୂଘରେ ପହଁଚିଲେ । କିନ୍ତୁ ନବଘନଙ୍କ ମୃତଦେହକୁ ପରିବାର ଲୋକେ ଗ୍ରହଣ କଲେନି। ଭିନ୍ନ ଜାତିରେ ବିବାହ କରିବା ପରେ ସେମାନେ ନବଘନଙ୍କୁ ଶୁଦ୍ଧି ହୋଇପଡିଛନ୍ତି । ଆଉ ଏବେ ସେମାନେ ଆଉ ଶବକୁ ଗ୍ରହଣ କରିପାରିବେନି ବୋଲି ସ୍ପଷ୍ଟ ମନା କରିଦେଲେ ।

ଏନେଇ ନବଘନଙ୍କ ସ୍ତ୍ରୀ ନିରୁପାୟ ହୋଇ ନିଜ ବାପଘର ଲୋକଙ୍କ ସହାୟତାରେ ଗତକାଲି ରାତିରେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଗାଁରେ ପହଂଚି ମୃତବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ନିଷ୍କର୍ଷ ବାହାରି ନଥିଲା।

୧୫ବର୍ଷ ହେଲା ନବଘନ ପରିବାର ସହ କୌଣସି ପ୍ରକାର ସମ୍ପର୍କ ରଖିନାହାଁନ୍ତି । ଏମିତିକି ବାପା ମା ମରିଯିବା ପରେ ନବଘନ ସେମାନଙ୍କ ଶୁଦ୍ଧିକ୍ରିୟା ରେ ଯୋଗ ଦେଇନଥିଲେ। ସେବେଠାରୁ ପରିବାର ଲୋକେ ତାଙ୍କୁ ସୁଦ୍ଧି ହୋଇପଡିବା ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଥିବା କହିଛନ୍ତି ପରିବାର। ଏଣୁ ଶବକୁ ଗ୍ରହଣ କରିବାକୁ ଅରାଜି ହୋଇଥିଲେ।

ଫଳରେ ଗାଁରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ ରହିଥିଲେ। ତେବେ ପାଖାପାଖି ୨୦ଘଣ୍ଟା ହେବ ମୃତଦେହ ପଡିରହିବା ସହ ଅସମ୍ମାନ ହେବା ଦୃଷ୍ଟିକୋଣରୁ ଆଜି ସକାଳୁ ଗାଁର ମୁରବି ମାନେ ଏକାଠି ହୋଇ ଶବ ସତ୍କାର କରିବାକୁ ନିଷ୍ପତି ନେଇଥିଲେ। ପରେ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଛି।

ସୂଚନା ମୁତାବକ ମମତା କୈବର୍ତ୍ତ ସମ୍ପ୍ରଦାୟର ହୋଇଥିବା ବେଳେ ନବଘନ ବ୍ରାହ୍ମଣ ସମ୍ପ୍ରଦାୟର ଥିଲେ। ଉଭୟ ୧୫ବର୍ଷ ତଳେ ଘରୁ ଲୁଚି ପ୍ରେମ ବିବାହ କରିଥିଲେ। ପରେ ଆଉ ଘରକୁ ଫେରିନଥିଲେ। ବିବାହର କିଛି ବର୍ଷ ପରେ ନବଘନ ଓ ମମତା ଶାଶୁ ଘର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହିଁଥିଲେ ହେଁ ନବଘନର ପରିବାର ଲୋକେ ମମତାକୁ ବୋହୂ ଭାବେ ଗ୍ରହଣ କରିନଥିଲେ। ନବଘନଙ୍କ ପରିବାର କହିଲେ ସ୍ତ୍ରୀ, ୧୩ବର୍ଷର ଝିଅ ଓ ୯ବର୍ଷର ପୁଅ। ଆଜି ଗାଁ ଶ୍ମଶାନରେ ସ୍ୱାମୀର ଚିତା ଜଳୁଥିବା ବେଳେ ସ୍ତ୍ରୀ ଶାଶୁ ଘର ଆଗରେ ପିଲା ଛୁଆଙ୍କୁ ଧରି ବସିବା ସହ ନ୍ୟାୟ ଅପେକ୍ଷାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.