ସରିଲା ଅରିଲୋର ପ୍ରସିଦ୍ଧ ଦୋଳ ମେଲଣ, ଲୋକଙ୍କ ମନ ଜିତିଲା ଆତସବାଜି ପ୍ରଦର୍ଶନ

ଆସୁଛି ରଙ୍ଗର ପର୍ବ ହୋଲି । ସେଥିପାଇଁ ଗାଁ ଠୁ ସହର ଉତ୍ସବ ମୁଖର । ସମସ୍ତଙ୍କ ଭିତରେ ହୋଲିକୁ ନେଇ ଉତ୍ସାହ ରହିଛି । ରଙ୍ଗର ଏହି ପର୍ବକୁ ସମସ୍ତେ ଅପେକ୍ଷା କରୁଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ ରଙ୍ଗର ପର୍ବ ପାଳନ କରିଥାନ୍ତି । ଏହି ହୋଲି ପୂର୍ବରୁ ସବୁଠି ଦୋଳ ମେଲଣ ଆରମ୍ଭ ହୋଇଯାଇଛି । କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତ ଅରିଲୋ ଗ୍ରାମରେ ଥିବା ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଦୋଳଯାତ୍ରା ଶୁକ୍ରବାର ମଧ୍ୟରାତ୍ରିରୁ ମହା ସମାରୋହରେ ଆରମ୍ଭ ହୋଇ ଶନିବାର ଦିନ ୧୧ ଟାରେ ଉଦଯାପିତ ହୋଇଛି ।

କଟକ : ଆସୁଛି ରଙ୍ଗର ପର୍ବ ହୋଲି । ସେଥିପାଇଁ ଗାଁ ଠୁ ସହର ଉତ୍ସବ ମୁଖର । ସମସ୍ତଙ୍କ ଭିତରେ ହୋଲିକୁ ନେଇ ଉତ୍ସାହ ରହିଛି । ରଙ୍ଗର ଏହି ପର୍ବକୁ ସମସ୍ତେ ଅପେକ୍ଷା କରୁଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ ରଙ୍ଗର ପର୍ବ ପାଳନ କରିଥାନ୍ତି । ଏହି ହୋଲି ପୂର୍ବରୁ ସବୁଠି ଦୋଳ ମେଲଣ ଆରମ୍ଭ ହୋଇଯାଇଛି । କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତ ଅରିଲୋ ଗ୍ରାମରେ ଥିବା ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଦୋଳଯାତ୍ରା ଶୁକ୍ରବାର ମଧ୍ୟରାତ୍ରିରୁ ମହା ସମାରୋହରେ ଆରମ୍ଭ ହୋଇ ଶନିବାର ଦିନ ୧୧ ଟାରେ ଉଦଯାପିତ ହୋଇଛି ।

ଦୋଳ ମେଲଣ ଆରମ୍ଭ କରିବା ପାଇଁ ଜନାର୍ଦ୍ଦନ ଦେବଙ୍କ ମନ୍ଦିରରୁ ନିମନ୍ତ୍ରଣ ଥାଳି ଯୁଗଳ କିଶୋର ଦେବଙ୍କ ପାଖକୁ ଆସିଥିଲା। ନିମନ୍ତ୍ରଣ ପାଇବା ପରେ ଯୁଗଳ କିଶୋର ଦେବଙ୍କ ବିମାନ ଜନାର୍ଦ୍ଦନ ଦେବଙ୍କ ନିକଟକୁ ଆସି ଭେଟ ହୋଇ ପୁଣି ଫେରିଯାଇ ନିଜ ମନ୍ଦିର ଠାରେ ବସି ମେଳନ ଯାତ୍ରା କିପରି ହେଉଛି ସେହି ଦୃଶ୍ୟକୁ ଦେଖିବା ପାଇଁ ରାତିସାରା ଅପେକ୍ଷା କରିଥାନ୍ତି । ଏହା ସହ ଆତସବାଜି ପ୍ରଦର୍ଶନ ଆରମ୍ଭ ହୋଇଥାଏ। ଆତସବାଜି ଫୁଟା କାର୍ଯ୍ୟ ଶେଷ ହେବା ପରେ ପରେ, ଜନାର୍ଦ୍ଦନ ଦେବଙ୍କ ମନ୍ଦିରରୁ ନିମନ୍ତ୍ରଣ ଥାଳି ଅରିଡାପଦା ଓ ମହିଧରପଡା ଦୁଇ ଗ୍ରାମର ଲକ୍ଷ୍ମୀନାରାୟଣ ଦେବ, ଗୋପିନାଥ ଦେବ ଏବଂ ରାଧାମାଧବ ଦେବଙ୍କ ତିନିଗୋଟି ଦୋଳ ବିମାନଙ୍କ ପାଖକୁ ପଠାଯାଇଥିଲା ।

ନିମନ୍ତ୍ରଣ ପାଇବା ପରେ ଉକ୍ତ ତିନୋଟି ବିମାନ ଶୋଭାଯାତ୍ରାରେ ଆସି ପୂର୍ବରୁ ମେଲଣ କରିବା ପାଇଁ ଅପେକ୍ଷା କରିଥିବା ଜନାର୍ଦ୍ଦନ ଦେବଙ୍କ ବିମାନ ସହିତ ହରିହର ଭେଟ ହେବାପରେ ମେଲଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବରୁ ଆସି ମେଲଣ ପଡିଆରେ ଅପେକ୍ଷା କରିଥିବା,ଦଳବାଡ଼, ସାଶୋଳ,ସରିଚୁଆଁ , ଆମଣ, ଖଣ୍ଡେଏତା, ଧାନଘର ପଡା, ନଗରୀ,ଖଲର୍ଦ୍ଦା, ଜଗନ୍ନାଥ ପୁରୁ, ଆଦି ବିଭିନ୍ନ ଗାଁରୁ ଆସିଥିବା ୪୫ ଗୋଟି ବିମାନ ସାଥିରେ ଆଣିଥିବା ବାଜା, ଘଣ୍ଟ, ଘୋଡ଼ା, ଷଣ୍ଢ ଆଦି ବଜାଇ ଶୋଭାଯାତ୍ରାରେ ମେଲଣ ପଡିଆ ଅଭିମୁଖେ ଯାତ୍ରା କରି ଯୁଗଳ କିଶୋରଙ୍କ ମନ୍ଦିର ନିକଟରେ ପହଞ୍ଚଥିଲେ । ସିନ୍ଧୁରା ଫାଟିବା ପରେ ସମସ୍ତ ବିମାନ ମେଲଣ ପଡିଆରେ ପହଞ୍ଚି ନଖରାର ଲକ୍ଷେଶ୍ୱରଙ୍କ ବିମାନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

ଚଳିତ ବର୍ଷ ଲକ୍ଷେଶ୍ୱରଙ୍କ ବିମାନ ସକାଳ ୯ଟାରେ ଯୁଗଳ କିଶୋର ମନ୍ଦିର ନିକଟରେ ପହଞ୍ଚି ଯୁଗଳ କିଶୋର ଦେବଙ୍କୁ ଭେଟ କରିଥିଲେ ଏହି ଭେଟକୁ ହରି ହର କୁହାଯାଏ, ହରି ହର ଭେଟ ପରେ ଶ୍ରୀ ଲକ୍ଷେଶ୍ବର ଦେବଙ୍କ ବିମାନ ମେଲଣ ପଡିଆ ଅଭିମୁଖେ ଯାଇ ମେଲଣ ପଡିଆରେ ଥିବା ସମସ୍ତ ଦୋଳ ବିମାନଙ୍କୁ ପରିକ୍ରମା କରି ଯାତ୍ରା ଶେଷ କରିଥିଲେ । ସେଠାରୁ ଫେରି ଲକ୍ଷେଶ୍ୱର ହର ଯୁଗଳ କିଶୋର ହରିଙ୍କୁ ଭେଟି ଫେରି ଯାଇଥିଲେ । ମେଲଣ ପଡିଆରେ ଅପେକ୍ଷା କରିଥିବା ସମସ୍ତ ବିମାନଙ୍କ ପାଇଁ ଭୋଗ ହାଣ୍ଡି ପଠାଯାଇଥିଲା। ଏହାସହିତ ଯୁଗଳ କିଶୋର ଦେବଙ୍କ ବିମାନ ମେଲଣ ପଡିଆରେ ପହଞ୍ଚିବାରୁ ମେଲଣ ଭାଙ୍ଗି ସମସ୍ତ ଦୋଳ ବିମାନ ନିଜ ନିଜ ସ୍ଥାନକୁ ଫେରିଯାଇଥିଲେ । ଏହି ମେଲଣ ଦେଖିବା ପାଇଁ ୨୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକସଦର ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମେଲଣ ଶାନ୍ତି କମିଟିର ସମସ୍ତ ସଦସ୍ୟ, ଅରିଲୋ ଗ୍ରାମ ଦୋଳ କମିଟିର ସଦସ୍ୟ, ମନ୍ଦିର ଟ୍ରଷ୍ଟ ମେଲଣ କାର୍ଯ୍ୟ ପରିଚାଳନା କରିବାରେ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.