କୃଷି ବୀମା ଛାଡ ଟଙ୍କା ନମିଳିବାରୁ ସେବା ସମବାୟ ସମିତି ଅଫିସ୍ ଘେରିଲେ ଚାଷୀ

ଚାନ୍ଦବାଲି: କୃଷି ବୀମା ଛାଡ ଟଙ୍କା ନ ମିଳିବାରୁ ଚାଷୀ ଘେରିଲେ ସେବା ସମବାୟ ସମିତି ଅଫିସ୍। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଓରାସାହି ସେବା ସମବାୟ ସମିତି ଉପରେ କାଣ୍ଡଗରଡି ଓ ଓରାସାହି ପଞ୍ଚାୟତର ଚାଷୀ ନିର୍ଭର କରିଥାନ୍ତି। ୨୦୧୯ମସିହାରେ କୃଷି ବୀମା ରାଶି ଛାଡ ହୋଇଛି। ତେବେ ବୀମା ରାଶି ଛାଡ ଘୋଷଣା ୪ ମାସ ବିତିଥିଲେ ବି ଛାଡ ଟଙ୍କା ଚାଷୀଙ୍କୁ ମିଳୁନି । ତାହାସହ ଚାଷ କାର୍ଯ୍ୟ ସମୟରେ ସମସ୍ତ ଚାଷୀଙ୍କୁ ଏହି ସେବା ସମବାୟ ସମିତି ସାର ମଧ୍ୟ ପ୍ରଦାନ କରିନଥିବାର ଅଭିଯୋଗ ହୋଇଛି।
ତେବେ ତୁରନ୍ତ ବୀମା ରାଶି ଟଙ୍କା ପ୍ରଦାନ ଦାବି କରି ଶତାଧିକ ଚାଷୀ ଓରାସାହି ସେବା ସମବାୟ ସମିତି ଆଗରେ ହୋହଲ୍ଲା କରିବା ସହ ଧାରଣାରେ ବସିରହିଛନ୍ତି। ପୂର୍ବରୁ ସୋସାଇଟି ସେକ୍ରେଟେରୀ ଚାଷୀଙ୍କ ସହ ବୀମାରାଶି ଟଙ୍କା ପ୍ରଦାନ ବାବଦରେ ଆଲୋଚନା କରିଥିଲେ। ଛାଡ ଟଙ୍କା ଚାଷୀଙ୍କ ଜମା ଖାତାରେ ଡିପୋଜିଟ କରିବା ପାଇଁ ସ୍ଥିର ହୋଇଥିଲା ହେଲେ ଏବେ ଉକ୍ତ ଟଙ୍କାକୁ ଲୋନରେ କାଟିବାକୁ କହୁଛନ୍ତି ସୋସାଇଟି ସେକ୍ରେଟେରୀ।
ଯାହାକୁ ବିରୋଧ କରିଛନ୍ତି ଚାଷୀ । ତେବେ ଯଦି ଚାଷୀଙ୍କ କଥା ସୋସାଇଟି ନ ଶୁଣେ ତେବେ ଆଗକୁ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାପରେ ଯାହା ନିଷ୍ପତ୍ତି ହେବ ତାହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଓରାସିହୀ ସୋସାଇଟି ସେକ୍ରେଟେରୀ।