ଶେଷ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲା ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା,ମା ପାର୍ବତୀଙ୍କ ପିତାମାତାଙ୍କ ଘରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ

ବରଗଡ଼(କେନ୍ୟୁଜ୍):  ସୋଲରେ ତିଆରି ଚାଲିଛି ବିଭିନ୍ନ ଡିଜାଇନର ପରଭା। ଗୋଟିଏ ପଟେ ବିଭିନ୍ନ ପ୍ରକାରର ମାଟି ମୂର୍ତ୍ତି ନିର୍ମାଣରେ ମଗ୍ନ କାରିଗର ଅନ୍ୟପଟେ ନଟରାଜ କ୍ଲବ ସମ୍ମୁଖର ବିଭିନ୍ନ କାନ୍ଥରେ ଦେବା ଦେବୀଙ୍କ ଚିତ୍ର ଆଁକୁଛନ୍ତି କାରିଗର। ଚାଲିଛି ଘନ ଘନ ବୈଠକ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବରପାଲି ଠାରେ କାରଣ ଦୁଇବର୍ଷ ପରେ ପୁଣିଥରେ ଯାକ-ଜମକରେ ପାଳନ ହେବ ଶୀତଳ ଷଷ୍ଠୀ ଯାତ୍ରା। ଯାତ୍ରାରେ ଦେବ ଦେବ ମହାଦେବ ଏଵଂ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ।ତାହା ପୁଣି ସମ୍ପୂର୍ଣ ମାନବୀୟ, ଲୋକଚାରା ଏଵଂ ରୀତିନୀତିରେ। ଏଥିପାଇଁ କାରିଗର ମାନେ ସମ୍ପୂର୍ଣ ପ୍ରସ୍ତୁତି ସାରିଥିବା ବେଳେ ଶେଷ ସ୍ବର୍ଶ ଦେଉଛନ୍ତି ।

ସେହିପରି ସହରର ଜଗନ୍ନାଥ ନଗର ନିବାସୀ ମଳୟ ତ୍ରିପାଠୀଙ୍କ ପରିବାରକୁ ମଧ୍ୟ ନିଦ ନାହିଁ। ଏଥର ଜଗତ ଜନନୀ ମାତା ପାର୍ବତୀଙ୍କର ପିତା ଭାବେ ମଳୟ ତ୍ରିପାଠୀ ଏଵଂ ମାତା ଭାବେ ସବିତା ତ୍ରିପାଠୀ ଦାଇତ୍ୱ ନିର୍ବାହ କରିବେ ଏଣୁ ସପରିବାର ବିବାହ ଉତ୍ସବ ପାଇଁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଭାଗ୍ୟରେ ଝିଅ ମିଳିନଥିବା ବେଳେ ମାତା ପାର୍ବତୀଙ୍କୁ ଝିଅ ରୂପେ ପାଇ ତାଙ୍କ ବିବାହ ପାଇଁ ଯୌତୁକ ସାମଗ୍ରୀ, ଅଳଙ୍କାର, ଗହଣା, ଶାଢ଼ୀ, ଆସବାବ ପତ୍ର କିଣିସାରିଛନ୍ତି। ବିବାହ ଉତ୍ସବ ରେ ସାମିଲ ହେବା ପାଇଁ ଘରକୁ କୁଣିଆ ମଧ୍ୟ ଆସିବସିଲେଣି। ପାର୍ବତୀଙ୍କୁ ଝିଅ ଭାବେ ପାଇ ବେଶ ଉତ୍ସାହିତ ପରିବାର ବର୍ଗ ସହ ଜଗନ୍ନାଥ ନଗର ବାସୀ ।

 ମହାମାରୀ କରୋନା କଟକଣା ପାଇଁ ପାଇଁ ନୀଡ଼ାମ୍ବର ଭାବେ ଦୁଇବର୍ଷ ମନ୍ଦିର ଭିତରେ ବାବା କପିଳେଶ୍ୱର ଏଵଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ହୋଇଥିଲା। ହେଲେ ଚଳିତ ବର୍ଷ କଟକଣା ଉଠିବା ପରେ ପୁଣି ଯାକ-ଜମକରେ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ଯାତ୍ରା କମିଟି ସମେତ ପ୍ରଶାସନ, ପୋଲିସ ବିଭାଗ ସମସ୍ତେ ନିଜ ନିଜର ପ୍ରସ୍ତୁତିକୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ବରପାଲି ସହରକୁ ଆସି ତାଙ୍କ କଳା ପ୍ରଦର୍ଶନ କରିବେ ବୋଲି ଆୟୋଜକ କମିଟି କହିଛି। ଆସନ୍ତା ମଇ 31 ତାରିଖରୁ ଜୁନ 6 ତାରିଖ ପର୍ଯ୍ୟନ୍ତ ହେବ ଶୀତଳ ଷଷ୍ଠୀ ଯାତ୍ରା।

 ସାତ ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଶୀତଳ ଷଷ୍ଠୀ ଯାତ୍ରାରେ ବିଭିନ୍ନ ସ୍ଥାନର ସାଂସ୍କୃତିକ ଦଳ ଯୋଗଦେଇ ଭକ୍ତଙ୍କ ମନୋରଞ୍ଜନ କରିବେ। ଏଣୁ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି। ଦୁଇବର୍ଷ ପରେ ପୁଣିଥରେ ବାବା କପିଳେଶ୍ଵର ଏଵଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଦେଖିବା ପାଇଁ ସମସ୍ତେ ଚାତକ ପରି ଅନେଇ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.