ଭୁବନେଶ୍ୱର : ଅଧା ଓଡ଼ିଶାକୁ ଛାରଖାର କରିଦେଲା ବାତ୍ୟା ଫନି। ଭାଙ୍ଗି ଯାଇଛି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ। ଫନିର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ। ରାଜ୍ୟ ଅଭିବୃଦ୍ଧି ହାର ହ୍ରାସ ଆଶଙ୍କ ଦେଖାଦେଇଛି। ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହି ଆସିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଆକଳନ କରାଯାଇଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଅଭିବୃଦ୍ଧି ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। ଏବେ ଫନି ପ୍ରଭାବରେ ଏହା ଖସିପାରେ। ସେହିପରି ଫନି ଅନେକଙ୍କୁ ବାସହରା କରିଛି। ସରକାରଙ୍କୁ ୧୦ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ପଡ଼ିବ। ନୂଆ ସବୁଜବଳୟ ତିଆରି କରିବାକୁ ଗ୍ରୀନ ମହାନଦୀ ମିଶନ ଭଳି ନୂଆ ମିଶନ କରିବାକୁ ପଡିବ। ଏଥିପାଇଁ ଖର୍ଚ୍ଚ ହେବ ହଜାର ହଜାର କୋଟି ଟଙ୍କା।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କା ମାଗିଛନ୍ତି ରାଜ୍ୟ ସରକାର। ଏନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୀର୍ଘମିଆଦି ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜଧାନୀ ଭୁବନେଶ୍ୱରରେ କ୍ଷୟକ୍ଷତିକ ଆକଳନ ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ। ବାତ୍ୟା ପ୍ରଭାବିତ ଅନ୍ୟାନ୍ୟ ଜିଲ୍ଲାର ସାମଗ୍ରିକ ବିକାଶରେ ବି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଫନି କ୍ଷୟକ୍ଷତି ପରେ ପ୍ରାୟ ୨୦୦୦ କୋଟିର ଇନସ୍ୟୁରାନ୍ସ ଦାବି ହୋଇପାରେ। ସମ୍ପତ୍ତି ନଷ୍ଟ ପାଇଁ ବହୁ ପ୍ରଭାବିତ ଦାବି ଉଠାଇବେ। ଏବେ ଓଡ଼ିଶାରେ ବହୁ ଇନସ୍ୟୁରାନ୍ସ କମ୍ପାନୀର ସର୍ଭେୟର ଶସ୍ୟ ନଷ୍ଟ ପାଇଁ ମଧ୍ୟ ଦାବି ରଖିବେ।
ରାଜ୍ୟ ପର୍ଯ୍ୟଟନକୁ ବଡ଼ ଝଟ୍କା ଲାଗିଛି। ପର୍ଯ୍ୟଟକଙ୍କ ସଂଖ୍ୟା କମିପାରେ। ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ସମ୍ଭାବନା ରହିଛି। ପର୍ଯ୍ୟଟନକୁ ବୃତ୍ତି କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ପେଟପାଟଣା ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ପର୍ଯ୍ୟଟକଙ୍କ ସଂଖ୍ୟା କମିଲେ ରାଜ୍ୟ ରାଜସ୍ୱ ହାନି ହେବ। ତେଣୁ ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ। ଜଗନ୍ନାଥ ଧାମ ପୁରୀର କ୍ଷତି ଭରଣାରେ ଲାଗିପାରେ ପାଖାପାଖି ୭ଶହରୁ ୮ ଶହ କୋଟି ଟଙ୍କା।
ବାତ୍ୟା କ୍ଷତି ପରେ ବଜେଟରେ ଅଧିକ ବ୍ୟୟବରାଦ କରିପାରନ୍ତି ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବାକୁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ହୋଇପାରେ। ଯୋଗାଯୋଗ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ପର୍ୟ୍ୟଟନ କ୍ଷେତ୍ରର ବିକାଶ ବି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ।