Below header

ଭୁବନେଶ୍ୱର : ମାଲିକଙ୍କ ଆଖି ଆଗରେ ଜଳି ଗଲା ଘର ଗ୍ୟାରେଜ୍‌ରେ ଥିବା କାର୍‌, ବାଇକ୍‌ ଓ ସ୍କୁଟି

ଭୁବନେଶ୍ୱର (କେନ୍ୟୁଜ୍‌) : ରବିବାର ଛୁଟି ଦିନରେ ଆସିଲା ଦୁର୍ଭାଗ୍ୟ । ଘରେ ସମସ୍ତେ ଖାଇ ପିଇ ବେଶ୍‌ ଖୁସିରେ ଛୁଟି କଟାଉଥିବା ବେଳେ ଘଟିଲା ଦୁର୍ଘଟଣା । ଘର ବାହାରେ ଥିବା ଗ୍ୟାରେଜରେ କେମିତି କେଜାଣି ନିଆଁ ଲାଗିଗଲା । ଆଉ ହୁତ୍‌ହୁତ ହୋଇ ଜଳିଲା । ଘର ଲୋକଙ୍କ ଆଗରେ କାର୍‌ ସହ ଗୋଟିଏ ବାଇକ୍‌ ଓ ଗୋଟିଏ ସ୍କୁଟି ଜଳି ଯାଉଥିଲା । ହେଲେ ଅସହାୟ ଥିଲେ ଏହାର ମାଲିକ । ପାଣି ସିନା ପକାଉଥିଲେ ତେବେ ତାହା ଭୟଙ୍କର ନିଆଁକୁ ଲିଭାଇବା ପାଇଁ ଯଥେଷ୍ଟ ନଥିଲା । ଏହି ଘଟଣା ଆଜି ସନ୍ଧ୍ୟାରେ ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଅନ୍ତର୍ଗତ ଆଇଆରସି ଭିଲେଜ ଏନ୍‌-୪ ଅଞ୍ଚଳରେ ।

ପ୍ଲଟ୍‌ ନଂ ଏନ୍‌-୪/ଏଫ୍‌ ୪୪ ଘରେ ପରିବାର ସହ ରହୁଛନ୍ତି ମାନସ ରାଉତରାୟ ନାମକ ଜଣେ ବ୍ୟକ୍ତି । ଘର ଠାରୁ ଗ୍ୟାରେଜ୍‌ ଅଲଗା । ସେହି ଗ୍ୟାରେଜରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଫଳରେ ଏହି ଅଘଟଣ ଘଟି ମାନସଙ୍କର ଏସବୁ ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଖବର ପାଇ ଦମକଳ ବାହିନୀ ଆସି ନିଆଁ ସିନା ଲିଭାଇ ଥିଲା । ହେଲେ ସେତେବେଳକୁ ଆଉ କିଛି ବାକି ନଥିଲା ।

ଏହି ଘଟଣାରେ ମାନସଙ୍କ ସାରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତେବେ ଇଲେକଟ୍ରି ସର୍ଟ ସର୍କିଟ୍‌ରୁ କିମ୍ବା କାର୍‌ରେ କୌଣସି କାରଣରୁ ନିଆଁ ଲାଗିବାରୁ ଅଥବା କେହି ନିଆଁ ଲଗାଇ ଦେବା ଫଳରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.