ଓଡ଼ିଶାରେ ପ୍ରଥମ କରୋନା ରୋଗୀ ! ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ କରୋନା ରୋଗୀ ! ଯାହାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି। କରୋନା ରୋଗୀ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଗତ ଦୁଇ ହେବ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଘର ଭୁବନେଶ୍ବରରେ ବୋଲି କୁହାଯାଉଛି । ଯୁବକଙ୍କ ବୟସ ପାଖାପାଖି ୩୧ ବର୍ଷ ହୋଇଥିବାବେଳେ ସେ ୯ ଦିନ ତଳେ ଇଟାଲିରୁ ଫେରିଥିଲେ ଏବଂ ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଆସିଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ଶନିବାର ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା‌ ପାଇଁ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ‌ରିପୋର୍ଟ‌ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍‌-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ ।

coronaତେବେ ଗତ ୧୩ ତାରିଖରେ ଯୁବକ ଜଣଙ୍କୁ ଥଣ୍ଡା ସହିତ ଜ୍ବର ହେବାରୁ ସେ ଏଠାରେ ଜଣେ ଡାକ୍ତରଙ୍କୁ ଦେଖାଇଥିଲେ ଏବଂ ଔଷଧ ଆଣି ଖାଇଥିଲେ। କିନ୍ତୁ ସେଥିରେ ଭଲ ନହେବାରୁ ଶନିବାର ସେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ତେବେ ଯୁବକ ଜଣକ ଇଟାଲିରୁ ଫେରିଥିବା ଏବଂ ତାଙ୍କଠାରେ କରୋନା ଲକ୍ଷଣ ଦେଖି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଇଥିଲେ।

ଯୁବକ ଜଣକ ୧୨ରୁ ୧୪ ତାରିଖ ଯାଏ ୨ ଦିନ ଘରେ ଆସି ରହିଥିବାରୁ ମଧ୍ୟରାତ୍ରିରେ ତାଙ୍କ ବାପା ଓ ଚାକରଙ୍କୁ ମଧ୍ୟ ତାଙ୍କ ନିଜ ଘରେ ନିରୀକ୍ଷଣରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତିତ ଯୁବକ ଜଣକ ୧୨ ତାରିଖରେ ଯେଉଁ ଟ୍ରେନର ଯେଉଁ ନିର୍ଦ୍ଦିଷ୍ଟ ବଗିରେ ଆସିଥିଲେ, ସେଥିରେ ତାଙ୍କ ପାଖରେ ବସିଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.