ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ହାଇବ୍ରିଡ ରୋଡ଼ ଟନେଲ

ଭୁବନେଶ୍ୱର (କେ ନିଉଜ) : ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ହାଇବ୍ରିଡ ରୋଡ଼ ଟନେଲ । ପ୍ରଥମ ଥର ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଦକ୍ଷିଣ ଓଡ଼ିଶାରେ ନିର୍ମାଣ କରୁଛି ଏହି ଦୁଇଟି ରୋଡ଼ ଟନେଲ । ଯାହାର ଲମ୍ବା ୪୬୫ କି.ମି । ରାୟପୁର-ବିଶାଖାପାଟଣା ଇକୋନୋମିକ କରିଡରର ଏକ ଅଂଶ ବିଶେଷ ହେଉଛି ଏହି ରୋଡ଼ ଟନେଲ । ପ୍ରଥମ ପର୍ଯ୍ୟାୟରେ ଭାରତମାଳା ପରିଯୋଜନା ଅଧୀନରେ ଅନୁମୋଦିତ ହୋଇଛି ଏହି ରାସ୍ତା । ଖର୍ଚ୍ଚ ହେବ ୨୦,୦୦୦ କୋଟି ଟଙ୍କା । ଏହି ହାଇବ୍ରିଡ଼ ରାଜପଥ ଛତିଶଗଡ଼, ଓଡିଶା ଓ ଆନ୍ଧ୍ର ପ୍ରଦେଶ ଦେଇ ଅତିକ୍ରମ କରିବ।

ମୁଖ୍ୟ କଥା ହେଉଛି, ଓଡିଶା ଭିତର ଦେଇ ଯାଉଥିବା ରାସ୍ତାଟି ସବୁଠାରୁ ଅଧିକ ୨୪୦ କି.ମି ଲମ୍ବା । ଯେଉଁଥିରେ ନବରଙ୍ଗପୁର ଜିଲ୍ଲାର ୧୨୪ କି.ମି ଓ କୋରାପୁଟ ଜିଲ୍ଲାର ୧୧୬ କି.ମି ଏବଂ ରାସ୍ତା ରହିଛି । ଏହାର ଧାର୍ଯ୍ୟ ନିର୍ମାଣ ଖର୍ଚ୍ଚ ହେଉଛି ୧୦,୦୦୦ କୋଟି ଟଙ୍କା।

ଛତିଶଗଡ଼ ଭିତରେ ୧୨୫ ଓ ଆନ୍ଧ୍ର ପ୍ରଦେଶରେ ୧୦୦ କି.ମି ରାସ୍ତା ନିର୍ମାଣ ହେବ। ଏହି କରିଡରଟି ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଦେଇ ଯାଉଛି। ଏହା ମଧ୍ୟରୁ କୋରାପୁଟ ଜିଲ୍ଲାରେ ଥିବା ଇଷ୍ଟର୍ଣ୍ଣ ଘାଟ ପର୍ବତ ମାଳାରେ ନିର୍ମାଣ ହେବ ୬ କି.ମି.ର ଏକ ବୃହତ ଟନେଲ । ଯାହାକି ରାଜ୍ୟର ପ୍ରଥମ ସର୍ବ ବୃହତ ରୋଡ଼ ଟନେଲ। ଯାହାକି ଦୁଇ ଭାଗରେ ବିଭକ୍ତ ହେବ । ଦୁଇଟି ଟନେଲ ମଝିରେ ୧୦ କି.ମି ର ବ୍ୟବଧାନ ରହିଛି। ଏହା କୋରାପୁଟ ଜିଲ୍ଲାର ସୁଙ୍କି ଘାଟିରେ ନିର୍ମିତ ହେବ। ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ଏହି କରିଡର ପ୍ରୋଜେକ୍ଟର ସମସ୍ତ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏ ନେଇ ସୂଚନା ଦେଇଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ ।

ଏହି ହାଇବ୍ରିଡ଼ ଟନେଲରେ ସବୁଠି ଉଜ୍ଜ୍ୱଳ ଆଲୋକ ସହ ଜରୁରୀ କାଳୀନ ସ୍ଥିତି ପାଇଁ ପର୍କିଙ୍ଗ, ଗାଡି ମରାମତି ଗ୍ୟାରେଜେ ବ୍ୟବସ୍ଥା କରାଯିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟନେଲ ନିର୍ମାଣ ବେଳେ ପ୍ରାକୃତିକ ପରିବେଶ ନଷ୍ଟ ହେଵ ନାହିଁ କି ପାହାଡ଼କୁ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ପଡିବ ନାହିଁ । ଏହା ସହିତ ପଡୋଶୀ ରାଜ୍ୟକୁ ଗମନା ଗମନ ଆହୁରି ସହଜ ହୋଇଯିବ । ଦେଶରେ ହିମାଚଳ ପ୍ରଦେଶ ଲେହ-ମନଲି ହାଇୱେ ଅଟଳ ଟନେଲ ପରେ ଓଡ଼ିଶାରେ ଏହି ହାଇବ୍ରିଡ଼ ଟନେଲ ତିଆରି କରିବାକୁ ଯାଉଛି ଏନଏଚଆଇ । ପାହାଡକୁ ଅକ୍ଷତ ଅବସ୍ଥାରେ ରଖି ଏହାକୁ କାଟି ଟନେଲ ତିଆରି କରିବା ଏକ ବଡ ଚ୍ୟାଲେଞ୍ଜ ହେବ । କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଗୁରୁତ୍ୱ ଦେଉଥିବାରୁ ଆମେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି କାମ ଆରମ୍ଭ କରିବୁ ବୋଲି ଏନଏଚଆଇ କର୍ତ୍ତୃପକ୍ଷ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.