ନବରଙ୍ଗପୁର ଚନ୍ଦାହାଣ୍ଡିରେ ଅଭାବନୀୟ ଘଟଣା: ଗୁଣି ସନ୍ଦେହରେ ମାଡ ମାରିବା ସହ ବିଷ୍ଠା ଖୁଆଇବାକୁ ଉଦ୍ୟମ, ୫ ଗିରଫ

ଉମରକୋଟ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ଗ୍ରାମରେ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତିକୁ ଗୁଣି ସନ୍ଦେହ କରି, ସାପ କାମୁଡାରେ ମୃତ ଯୁବକର ସମ୍ପର୍କୀୟ ଗାଁ ଦାଣ୍ଡରେ ମାଡ ମାରିବା ସହ ବିଷ୍ଠା ଖୁଆଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣ ଗିରଫ କରିଛି ପୋଲିସ୍।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଜାମାଦାରପଡା ଗାଁରେ ଜଣେ ଯୁବକ ଦେବିସିଂ ହାତି ଗତ ୪ ତାରିଖ ଦିନ ସାପ କାମୁଡାରେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ପରିବାର ଲୋକେ ଛତିଡଗଡର ଜଣେ ଗୁଣିଆକୁ ଡାକି ଘରେ ପୂଜା ପାଠ କରିଥିଲେ। ଗୁଣିଆ କୁଆଡେ ସେହି ଗାଁର ହିରାସିଂ ଦଳେଇ ଗୁଣି କରି ସାପ ଦ୍ବାରା ହତ୍ୟା କରିଥିବା ନେଇ କହିଥିଲା। ଗୁଣି କଥାରେ ବିଶ୍ବାସ କରି ମୃତକ ଯୁବକର ପରିବାର ଲୋକେ ଗାଁରେ ଗତ ୨୦ ତାରିଖରେ ବୈଠକ ଡକାଇଥିଲେ। ବୈଠକ ରେ ଗାଁ ଦାଣ୍ଡରେ ହିରାସିଂକୁ ମାଡ ମାରିଥିଲେ ଓ ଗାଳି ଗୁଲଜ କରିଥିଲେ। ଶେଷରେ ମୁହଁକୁ ଖୋଲି ବିଷ୍ଠା ଖୁଆଇବା ପାଇଁ ଉଦ୍ୟମ କରିଥିଲେ ବୋଲି ପୀଡିତ ଏତଲାରେ ଦର୍ଶାଇଛନ୍ତି । ଥାନାରେ ଏତଲା ଦେଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ।
ଗତ ୨୧ ତାରିଖ ଦିନ ହିରାସିଂ ଦଳେଇ ଚନ୍ଦାହାଣ୍ଡି ଥାନାରେ ଅମରୁ ହାତି , ରଥ ହାତି, ଡମ୍ବରୁ ହାତି, ବଳଦେବ ହାତି ଓ ଗୋବର୍ଧନ ହାତି ଏହି ୫ ଭାଇଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଚନ୍ଦାହାଣ୍ଡି ଥାନାରେ କେସ ନଂ ୧୦୫/୨୦୨୦ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଅଭୟ ବେହେରା ଓ ତଦନ୍ତ କାରୀ ଅଧିକାରୀ ଏସଆଇ ବିଦୁରାମ ବାଘ ତଦନ୍ତ କରିଥିଲେ। ତଦନ୍ତ କରିବା ପରେ ଅଭିଯୋଗ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।