Below header

ଶୃଙ୍ଖଳିତ ରଥଯାତ୍ରା ଉପରେ ଫୋକସ୍ : ମୁତୟନ ରହିବେ ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସୁରକ୍ଷା ଦାୟିତ୍ୱରେ ରହିବେ ୧୫୫ ପ୍ଲାଟୁନ ପୋଲିସ । ସିସିଟିଭି କ୍ୟାମେରା ମାଧ୍ୟମରେ ଭିଡ଼ ଉପରେ ନଜର ରଖାଯିବ । ରଥଯାତ୍ରା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ତେବେ ବାତ୍ୟା ଫନି ପରେ ପୁରୀରେ ପାର୍କିଂ ଓ ପୋଲିସ ଫୋର୍ସର ରହଣୀ ମୁଖ୍ୟ ଚ୍ୟାଲେଞ୍ଜ ହେବ ।

ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା । ମୁତୟନ ହେବେ ୧୫୫ ପ୍ଲାଟୁନ୍‌ ପୋଲିସ । ୩ ୟୁନିଟ୍‌ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ୍‌, ୨ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ, ୨ କମ୍ପାନୀ ସୁଇଫ୍ଟ ଆକ୍ସନ ଫୋର୍ସଙ୍କ ସହ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହେବେ । ସେହିପରି ତଟ ସୁରକ୍ଷା ଓ ରେଳବାଇ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ରଥଯାତ୍ରା ସୁରକ୍ଷା ଦାୟିତ୍ୱରେ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା, ଶ୍ରୀମନ୍ଦିର ସୁରକ୍ଷା ଓ ସେବାୟତ ସମନ୍ଵୟ ଦାୟିତ୍ୱରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଟ୍ରାଫିକ ଦାୟିତ୍ୱରେ ଅମିତାଭ ଠାକୁର, ଜନଗହଳି ନିୟନ୍ତ୍ରଣ ଦାୟିତ୍ୱରେ ଅସିତ ପାଣିଗ୍ରାହୀ ଏବଂ ଗୁଇନ୍ଦା ବିଭାଗ ଦାୟିତ୍ୱରେ ରହିବେ ଅରୁଣ ବୋଥ୍ରା । ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ବେଳେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଏହା କହିଛନ୍ତି ପୋଲିସ ଡିଜି ।

ସେପଟେ ବାତ୍ୟା ଫନିରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିପାଇଁ ରଥଯାତ୍ରା ବେଳେ ବିଶେଷକରି ପାର୍କିଂ ଓ ପୋଲିସ ଫୋର୍ସର ରହଣୀ ମୁଖ୍ୟ ଚ୍ୟାଲେଞ୍ଜ ହେବ । ଫନିରେ ୨୫୦ରୁ ଅଧିକ ସିସିଟିଭି କ୍ୟାମେରା ନଷ୍ଟ ହୋଇଛି । ସହରରେ ଯୁଦ୍ଧକାଳୀନ ଭିତ୍ତିରେ ସିସିଟିଭି କ୍ୟାମେରା ଲଗାଯାଉଛି ।

ଜୁନ୍‌ ୧୭ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯାତ୍ରାରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶୃଙ୍ଖଳିତ ଭାବେ ରଥଯାତ୍ରା ସଂପନ୍ନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.