ଭୋଟର ତାଲିକାରୁ ବାଦ ପଡ଼ିଥିବାରୁ ବିଡିଓଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ: ଚାରି ଘଣ୍ଟା ପରେ ମୁକୁଳିଲେ ବିଡିଓ

ଗଞ୍ଜାମ(କେନ୍ୟୁଜ୍): ଚାରି ଘଣ୍ଟା ପରେ ଗ୍ରାମବାସୀଙ୍କ କବଳରୁ ମୁକୁଳିଲେ ବିଡିଓ। ଅଟକ ପାତ୍ରପୁର ବ୍ଲକ ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଛାଡ଼ିଲେ ଗ୍ରାମବାସୀ। ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ବିଡିଓଙ୍କୁ ଅଟକ ରଖିଥିଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତର ଧାଡିଆମ୍ବ ଗ୍ରାମବାସୀ। ଶେଷରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ବୁଝାସୁଝା ପରେ ବିଡିଓଙ୍କୁ ଛାଡ଼ି ଦେଇଛନ୍ତି ଗ୍ରାମବାସୀ। ପୋଲିସ ଓ ପ୍ରଶାସନ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି କିପରି ଓ କାହିଁକି ଏହା ଘଟିଛି ସେନେଇ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିଡ଼ିଓଙ୍କୁ ଛଡ଼ାଯାଇଛି।
ଗତ ୨୦ତାରିଖରେ ମତଦାନ ପାଇଁ ଗ୍ରାମବାସୀ ଅଣ୍ଡରାସିଙ୍ଗର ୩ ନମ୍ବର ବୁଥରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ କିନ୍ତୁ ଭୋଟର ତାଲିକାରେ ନାଁ ନଥିବାରୁ ଭୋଟ ଦେଇପାରିନଥିଲେ। ଏନେଇ ବିଡିଓ ପ୍ରକାଶ ଦାସଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇନଥିଲା। ସେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଦେଖି ଫେରୁଥିବା ବେଳେ ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ତାଙ୍କୁ ଗାଁକୁ ନେଇ ଅଟକ ରଖିଥିଲେ ।