ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ୯୯ବର୍ଷ ବୟସରେ ପରଲୋକ

ବାସୁଦେବପୁର(କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆରୁହା ପଂଚାୟତ ତୁଳମତୁଳା ଗ୍ରାମର ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ଦେହାନ୍ତ । ମୃତ୍ଯୁ ବେଳକୁ ତାଙ୍କୁ ୯୯ବର୍ଷ ହୋଇଥିଲା। ସ୍ୱର୍ଗତ ରାୟ ଦୀର୍ଘ ଦିନ ଧରି ଶର୍ଯ୍ଯାଶାୟୀ ହୋଇଯାଇଥିବା ବେଳେ ଗତକାଲି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ଖବରପାଇ ଭଦ୍ରକ ଉପଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ଥାନାଧିକାରୀ,ତହସିଲଦାର ପହଁଚି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।

ମରଶରୀରକୁ ଶେଷ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଂଚଳର ଜନପ୍ରତିନିଧିଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ପହଁଚିଥିଲେ। ଶେଷରେ ମରଶରୀରକୁ ନିଜ ଗ୍ରାମ ସମେତ ବେତଡା ବଜାର ପରିକ୍ରମା କରି ନିଜ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ସ୍ୱର୍ଗତ ରାୟ ଗତବର୍ଷ କ୍ରାନ୍ତି ଦିବସରେ ମହାମହିମ ରାଷ୍ଟ୍ରପତି ଜିଲ୍ଲାପାଳଙ୍କ ମାଧ୍ଯମରେ ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ସମ୍ମାନିତ ହୋଇଥିଲେ। ଶ୍ରୀ ରାୟ ୧୯୨୬ ମସିହା ଜନ୍ମ ଗ୍ରହଣ କରିଥିଲେ। ଯେତେବେଳେ ତାଙ୍କୁ ୧୫ବର୍ଷ ବୟସ ହୋଇଥିଲା ସେତେବେଳେ ସେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଭାରତ ଛାଡ ଅନ୍ଦୋଳନରେ ସାମିଲ ହୋଇଥିଲେ। ସେଇ ସମୟ ମଧ୍ଯରେ ବ୍ରିଟିଶ ମାନଙ୍କ ହାତରେ ଧରାପଡି ଜେଲ ଯାଇଥିଲେ। ପୁଣି ଜେଲରୁ ଆସିବା ପରେ ଘରୁ ଲୁଚି ପଳାଇଯାଇ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇରମ ମେଳଣ ପଡିଆରେ ବ୍ରିଟିଶ ମାନଙ୍କ ବିରୋଦ୍ଧରେ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଥିଲେ।

ବ୍ରିଟିଶ ମାନଙ୍କ ଗୁଳିରୁ ଅଳ୍ପକେ ବର୍ତିଯାଇ ଶ୍ରୀ ରାୟ ପୁଣି ଧରାପଡି ପ୍ରଥମେ ବାଲେଶ୍ୱର ଓ ପରେ ବିହାର ଜେଲରେ ଦୀର୍ଘ ଦେଢ ବର୍ଷ କାଳ ଦଣ୍ଡ ଭୋଗିଥିଲେ। ତେବେ ଦେଶ ସ୍ୱାଧିନ ପରେ ଶ୍ରୀ ରାୟ ସଂଗ୍ରାମ ଜୀବନରୁ ଶିକ୍ଷକତା ଜୀବନକୁ ମନ ବଳାଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଯାଗାରେ ଶିକ୍ଷାଦାନ କରିଥିଲେ। ଶ୍ରୀ ରାୟଙ୍କ ମୃତ୍ଯକୁ ନେଇ ସାରା ବାସୁଦେବପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.