ଗଜପତି: ପଦ୍ମପୁର ଗାଁ ହରିଜନ ସାହିର ଚିନ୍ତାଡା ରାମରାଓଙ୍କ ଦୁଃଖ କହିଲେ ନସରେ, ଆଶାବାଡି ହିଁ ଏକମାତ୍ର ସାହା

ଗଜପତି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ହରିଜନ ସାହିରେ ଚିନ୍ତାଡା ରାମରାଓଙ୍କ ଘର । ସେ ପୂର୍ବରୁ ଟ୍ରକର ହେଲପର ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଭାଗ୍ୟର ଖେଳ ୧୯୯୫ ମସିହାରେ ଟ୍ରକରୁ ଖସିପଡିବାରୁ ତାଙ୍କ ଅଣ୍ଟା ଭାଙ୍ଗିଗଲା ଆଉ ଦୁର୍ଭାଗ୍ୟ ସେବେ ଠାରୁ ଗରିବତା, ଅଭାବ, କଷ୍ଟ ତାଙ୍କ ପିଛା ଛାଡୁନି । ଅଣ୍ଟା ଭାଙ୍ଗିବା ପରେ ମଧ୍ୟ ଯେଣତେଣ ନିଜ ପରିବାର ଚଲାଇଲେ କିନ୍ତୁ ୨୦୧୦ମସିହାରେ ପୋଖରୀରେ  ସ୍ନାନ କରିବା ବେଳେ ଖସି ପଡିଗଲେ ଯାହା ତାଙ୍କୁ ପଙ୍ଗୁ କରିଦେଲା ।

ପାଖରେ ଟଙ୍କା ନଥିବାରୁ ଅଣ୍ଟାର ହାଡ ଗୁଣ୍ଡ ହୋଇଥିବାରୁ ବ୍ୟୟବହୁଳ ଚିକିତ୍ସା ତାଙ୍କ ପାଇଁ ଅସମ୍ଭବ। ଯାହା ଫଳରେ ସେ ଚୁପଚାପ ଦୁର୍ଭାଗ୍ୟମୟ ଜୀବନକୁ ଆପଣାଇନେଇଛନ୍ତି । ତାଙ୍କର ଅଣ୍ଟା ଭାଙ୍ଗିଗଲା ପରେ ଧିରେ ଧିରେ ତାଙ୍କ ଗୋଟିଏ ଗୋଡ ଉପରକୁ ଟାଣି ହୋଇଯାଉଛି । ଯାହାଫଳରେ ତାଙ୍କୁ ଆଶାବାଡି ବିନା ବସିବା ଉଠିବା ବି ଅସମ୍ଭବ ହୋଇପଡିଛି ।

familyପ୍ରଶାସନ ତରଫରୁ ଦିବ୍ୟାଙ୍ଗ ଭତ୍ତା ସାତସହ ଟଙ୍କା ଓ ମାସକୁ ରାସନ କାର୍ଡରେ ୧୦କିଲୋ ଚାଉଳ ଚିନ୍ତାଡା ରାମାରାଓ ଓ ତାଙ୍କ ଧର୍ମପତ୍ନୀ ପ୍ରେମିକା ଚିନ୍ତାଡାଙ୍କୁ ମିଳୁଛି । ରାମାରାଓଙ୍କ ଧର୍ମପତ୍ନୀ ବାହାରେ କୁଲି ନକଲେ ପରିବାର ଚଳିବା କଷ୍ଟ । ତେବେ କୋରନା ମହାମାରୀ ଯୋଗୁଁ କାମ ମିଳୁନଥିବାରୁ ପରିବାର ଏ.ବେ ବହୁକଷ୍ଟରେ ରହିଛନ୍ତି ଏହି ପରିବାର ।

ତେବେ ଏମାନଙ୍କ କେବଳ ଗୋଟିଏ ଝିଅ ଯାହାର ବାହାଘର ମଧ୍ୟ ଏମାନେ କରିପାରିଲେ ନାହିଁ । ଝିଅର ଶାଶୁଘର ଲୋକେ ବାହାକଲେ । ସେ ମଧ୍ଯ ଗର୍ଭବତୀ ଥିବାରୁ ବର୍ତ୍ତମାନ ଆସି ଘରେ ଅଛନ୍ତି। ଯାହା ବୋଝ ଉପରେ ନଳିତା ବିଡା ଭଳି । ଏବେ ଆର୍ଥିକ ଅନାଟନ ଯୋଗୁଁ ଜୀବନ ବଞ୍ଚିବାର ରାହା ଖୋଜୁଛି ଏହି ପରିବାର । ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ସାହାଯ୍ଯର ହାତ ବଢାନ୍ତେ ତେବେ ଏହି ଅସହାୟ ଦମ୍ପତି ନିଜ ଅସଜଡା ଜୀବନକୁ ସଜାଡିବା ସହିତ ଆଗାମୀ ଜୀବନ ସୁରୁଖୁରୁରେ ବଞ୍ଚିପାରନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.