ଦୁଇ ମହଲା ଛାତରୁ ଡେଇଁ ଚମ୍ପଟ ମାରିଲା ଅଭିଯୁକ୍ତ, ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଲା

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ଅଭିଯୁକ୍ତ l ତେବେ ତଦନ୍ତରେ ବାଧା ଉପୁଜିବା ସନ୍ଦେହରେ ଅଭିଯୁକ୍ତର ନାମ ଗୋପନ ରଖାଯାଇଥିବା କୁହାଯାଇଛି l

ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଥିବା ଏକ ଗଞ୍ଜେଇ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ହେଲେ ଆଜି ଭୋର ସମୟରେ ପାଇଖାନା ଯିବା ବାହାନାରେ ଅଭିଯୁକ୍ତ ଜଣକ ଦୁଇ ଜଣ ସେଣ୍ଟ୍ରି ଏବଂ ହୋମଗାର୍ଡଙ୍କୁ ଧକ୍କା ମାରି ଥାନାର ଦୁଇ ମହଲା ଛାତ ଉପରୁ ଲମ୍ଫ ମାରି ଫେରାର ହୋଇଯାଇଛି l ତେବେ ଗଜପତିରେ ଏହା ନୂଆ ଘଟଣା ନୁହଁ, ପୂର୍ବରୁ ଆର.ଉଦୟଗିରି ଥାନାରୁ ମଧ୍ୟ ଜଣେ ମାଫିଆ ଏଭଳି ଫେରାର ହୋଇଯାଇଥିଲା, ଯାହାର ଏପର୍ଯ୍ୟନ୍ତ ପତ୍ତା ମଧ୍ୟ ମିଳିପାରିନାହିଁ l

ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ବିଭାଗ ଏହାକୁ ଅତି ହାଲୁକା ଭାବେ ନେଉଛି । ଅନ୍ୟପଟେ ପୋଲିସ ହେପାଜତରୁ ଚମ୍ପଟ ମାରୁଥିବା ଅଭିଯୁକ୍ତ ମାନେ ନିଜ ଚେଷ୍ଟାରେ ଯାଉଛନ୍ତି ନା ଏଥିରେ ପୋଲିସର ଭୂମିକା ରହୁଛି ତାହା ତଦନ୍ତ ସାପେକ୍ଷ । କାରଣ କିଛି ଦିନ ପୂର୍ବେ ଅଂଶୁ ନାମକ ଜଣେ ଯୁବକ ପୋଲିସ ନାମ ନେଇ ମାଫିଆଙ୍କ ସହ ସଲାସୁତାର କରୁଥିବାର ଅଡିଓ ରେକର୍ଡ଼ିଂ ଭାଇରଲ ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିପାରିନାହଁ l ପୋଲିସ ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.