ମୋହନା: ପୁଣି ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୫ଗିରଫ

ମୋହନା(କେନ୍ଯୁଜ୍): ବର୍ତ୍ତମାନ ଗଞ୍ଜେଇ ହବ୍ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ତେବେ ସୋମବାର ଆର. ଉଦୟଗିରି ପୋଲିସ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରିବା ସହ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଗତକାଲି ପୁଣି ମୋହନା ଏବଂ ଅଡବା ପୋଲିସ୍ ପକ୍ଷରୁ ପୃଥକ ପୃଥକ ସ୍ଥାନରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଅଡବା ପୋଲିସର ଯାଞ୍ଚ ବେଳେ ୧୭ କେଜି ଏବଂ ମୋହନା ପୋଲିସର ଯାଞ୍ଚ ବେଳେ ୮୯କେଜି ଗଞ୍ଜେଇ ଜବତ ହୋଇଛି। ଏହାସହ ଦୁଇଟି କାର୍ ଏବଂ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ କୋରାପୁଟ ଜଳପୁଟ ଅଞ୍ଚଳର ଜଣେ ଏବଂ ଉତ୍ତରପ୍ରଦେଶର ଚାରି ଜଣ ।
ଅନ୍ଯପଟେ ଅଡବା ପୋଲିସ ଦ୍ୱାରା ଜବତ ଗଞ୍ଜେଇ କୋରାପୁଟ ଅଞ୍ଚଳରୁ ଭୁବନେଶ୍ୱର ଏବଂ ମୋହନା ପୋଲିସ ଦ୍ୱାରା ଜବତ ଗଞ୍ଜେଇ କେନ୍ଦୁଗୁଡା ଅଞ୍ଚଳ ରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି। ଜବତ ଗଞ୍ଜେଇ ର ମୂଲ୍ୟ ୭ଲକ୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।