ଭାଇଙ୍କୁ ରାକ୍ଷୀ ବାନ୍ଧି ପାରିଲା ନାହିଁ ଭଉଣୀ , ଗାଧୋଇବାକୁ ଯାଇ ବୁଡ଼ିଗଲା

ରାଇରଙ୍ଗପୁର(କେନ୍ୟୁଜ୍‌) : ରାକ୍ଷୀ ପୂର୍ଣ୍ଣିମାରେ ରାଇରଙ୍ଗପୁରରେ ଘଟିଛି ଅଘଟଣ । ଭାଇଙ୍କୁ ରାକ୍ଷୀ ବାନ୍ଧି ପାରିଲା ନାହିଁ ଭଉଣୀ , ଅଧୁରା ରହିଲା ସ୍ୱପ୍ନ । ଭାଇଙ୍କ ସହ ଗାଧୋଇବାକୁ ଯାଇ ବୁଡ଼ିଗଲା ଭଉଣୀ । ଖଡ଼ଖାଇ ନଦୀରେ ଅକାଳରେ ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା କୁଡୁମଦା ଗ୍ରାମରେ ।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା’ ମାୟାବତୀ ଟୁଡୁ ନିଜ ପୁଅ ଝିଅଙ୍କୁ ନେଇ ଖଡ଼ଖାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ମା’ ଗାଧୋଇ ସାରି ଘରକୁ ଫେରିଥିବା ବେଳେ ଭଉଣୀ ସାଉଁରି ଟୁଡୁ ଓ ଭାଇ ଚିତ୍ତରଞ୍ଜନ ଟୁଡୁ ନଦୀରେ ଗାଧୋଉଥିଲେ । ମା ଘରକୁ ପହଂଚିବା ପରେ ସାଉଁରି ଟୁଡୁ ନଦୀରେ ଖସି ପଡି ନିଖୋଜ ହୋଇଯାଇଥିବା ଖବର ପାଇ ନଦୀକୁ ଦୌଡ଼ି ଯାଇଥିଲେ । ତେବେ ସେଠାରେ ଲୋକେ ସାଉଁରିଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ନଦୀ କୂଳରେ ରଖିଥିବା ଦେଖିବାକୁ ପାଇଥିଲେ ।

ସୂଚନା ଅନୁଯାୟୀ, ଭାଇ ଭଉଣୀ ନଦୀରେ ଗାଧୋଉଥିବା ବେଳେ ଭଉଣୀ ସାଉଁରିଙ୍କ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ । ନାବାଳିକା ଭଉଣୀଙ୍କୁ ଭାଇ ପ୍ରାଣପ୍ରଚେଷ୍ଟା କରି ମଧ୍ୟ ବଞ୍ଚାଇନପାରି କାନ୍ଦି କାନ୍ଦି ଗ୍ରାମବାସୀଙ୍କୁ ଚିତ୍କାର କରିଥିଲେ । ଗ୍ରାମବାସୀ ନାବାଳିକାଙ୍କୁ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରିଥିଲେ । ପରିବାର ଲୋକେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସାଉଁରି ଟୁଡୁଙ୍କ ମୃତ୍ୟୁ ଖବର ପାଇ ଗାଁ ରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.