ଟ୍ୟୁସନରୁ ଘରକୁ ଫେରୁଥିବା ଛାତ୍ରୀଙ୍କୁ ରାସ୍ତା ମଝିରୁ ଉଠାଇନେଲେ ଯୁବକ, ଭାଇରାଲ ହେଉଛି କିଡନାପ ବେଳର ଦୃଶ୍ୟ

ଚାନ୍ଦବାଲି (କେନ୍ୟୁଜ) : ଟ୍ୟୁସନରୁ ଫେରୁଥିବାବେଳେ ରାସ୍ତା ମଝିରେ ଯୁବତୀଙ୍କୁ ଅପହରଣ। ଜୋରଜବରଦସ୍ତ ଟାଣି ଓଟାରୀ ଇଣ୍ଡିଗୋ କାରରେ ବସାଇ ନେଇଗଲେ ଯୁବକ। ଠେଲିପେଲି ଅପହରଣ କରି ନେଇଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର ଲୋକେ ଝିଅକୁ ଅପହରଣ କରିନେଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ହାତ ଖାଲି। ଏନେଇ ପରିବାର ଲୋକେ ଗତ ୧୦ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରିନଥିଲେ।

ଏବେ ମହୁଲିଆ ଛକ ନିକଟରେ ଏକ ସିମେଟ ଦୋକାନରୁ ଝିଅ ଅପହରଣ ସିସିଟିଭି ଫୁଟେଜ ମିଳିବାପରେ ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ପୋଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ତେବେ ଅପହରଣ କରିଥିବା ଯୁବକ ଜଣକ ମତୋ ପରମାନନ୍ଦପୁର ଗାଁର ପୃଥୀରାଜ କରଣ ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତ ୧୯ ତାରିଖ ଦିନ ଝିଅ ସବୁଦିନ ପରି ସକାଳେ ଚାନ୍ଦବାଲିକୁ ଟ୍ୟୁସନ ଯାଇଥିଲେ। କିନ୍ତୁ ସେଦିନ ଆଉ ଟ୍ୟୁସନରୁ ଘରକୁ ଫେରିନଥିଲେ। ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିବାରୁ ଝିଅ ଏକ ଟାଟା ମ୍ୟାଜିକରେ ଘରକୁ ଯାଇଥିବା ସେ କହିଥିଲେ।

ତେବେ ଘରେ ନପହଂଚିବାରୁ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ଓ ପୂର୍ବରୁ ମତୋ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା, ତେବେ ସେ ହିଁ ଝିଅକୁ ଅପହରଣ କରିଥିବା ନେଇ ଝିଅର ମା’ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟରେ ପୋଲିସ୍ କହିଛି ଝିଅର ମାଙ୍କ ଏତଲା ଅନୁଯାୟୀ ନିଖୋଜ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି। ଝିଅକୁ ଉଦ୍ଧାର ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.