ଛାଡଖାଇ ପାଇଁ ଛେଳି ଚୋରି! ଚୋରକୁ ଧରି ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

ବାରିପଦା(କେନ୍ୟୁଜ୍): ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେଣୁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଖଚାଖଚ୍‌ ଭିଡ। ନିଜ ମନ ପସନ୍ଦର ଆମିଷ ଦ୍ରବ୍ୟ କିଣି ଘରକୁ ନେଉଛନ୍ତି ଲୋକେ। ଏପଟେ କିନ୍ତୁ ଚୋର ମହାଶୟଙ୍କୁ ମାଗଣା ଆମିଷ ଖାଇବା ନିଶା ଘାରିଥିଲା। ହେଲେ କଣ ହବ ସବୁ ପରିଶ୍ରମ ବେକାର ଗଲା। କେତେ କଷ୍ଟରେ ଛେଳି ଚୋରି କରିବା ପରେ, ଛେଳିକୁ ମାରି ଘରକୁ ନେଇଯାଉଥିଲେ। ଠିକ୍ ଏତିକି ବେଳେ ଧରାପଡିଗଲେ।

ଆଜ୍ଞା ହଁ ମହଙ୍ଗା ପଡ଼ିଲା ଛେଳି ଚୋରି କରିବା । ଚୋରକୁ ଧରି ବାନ୍ଧି ନିର୍ଧୁମ ଛେଚିଲେ ଲୋକେ । ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ଥାନା ପଥର୍ନେଶା ଗାଁରେ । ପଥରନେଶା ଗାଁର ପ୍ରକାଶ ଗିରୀଙ୍କ ଛେଳିଟିକୁ ମାରି ନେଇ ଯାଉଥିବା ବେଳେ ଅଟକାଇଥିଲେ ଲୋକେ ।

ପରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ । ଚୋରି କରୁଥିବା ଯୁବକ ଜଣକ ନିକଟସ୍ଥ ଗାଁର ବାଣ୍ଟିଆ ମଲ୍ଲିକ । ଖବରପାଇ ଘଟଣା ସ୍ଥଳରେ ଶୁଲିଆପଦା ପୋଲିସ ପହଞ୍ଚି ଚୋରକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.