ରାଜଧାନୀରେ ପୁଣି ମାତିଲେ ଲୁଟେରା, ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା, ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍‌। ମଙ୍ଗଳବାର ସକାଳେ ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲ୍ ସାମ୍ନା ରୋଡ୍‌ରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଉଛନ୍ତି ଶାନ୍ତି ନଗରର ମନୋରମା ସାହୁ।

ମନୋରମାଙ୍କ କହିବାନୁସାରେ, ସକାଳ ପ୍ରାୟ ୭ଟା ବେଳେ ସେ ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରୁଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ବାଇକରେ ହଠାତ ତାଙ୍କ ସାମ୍ନାକୁ ଚାଲି ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାଇକରୁ ଓହ୍ଲାଇ କଟୁରୀଟିଏ ଧରି ତାଙ୍କ ଆଡ଼କୁ ଆସିଥିଲେ। କଟୁରୀକୁ ତାଙ୍କ ବେକରେ ଲଗାଇ ଚେନ୍ ଦେବାକୁ କହିଥିଲେ। ସେ ନ ଦେବାରୁ ତାଙ୍କୁ ତଳେ ପକାଇ ଚେନ୍ ଛିଣ୍ଡାଇ ନେଇଥିଲେ। ସାହାଯ୍ୟ ପାଇଁ ସେ ଚିତ୍କାର କରିଥିଲେ ମଧ୍ୟ ଲୋକମାନେ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ଦୁର୍ବୃତ୍ତମାନେ ବାଇକରେ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ, କମିଶନରେଟ୍ ପୋଲିସ୍ ଦୁଇ ଦିନ ତଳେ ରାଜଧାନୀରୁ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ ମଧ୍ୟ ଏକା ଷ୍ଟାଇଲରେ ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.