ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା ଗୋପାଳ, ପଲିଗ୍ରାଫ ଟେଷ୍ଟରେ କହିଛି ଗୋଟି ଗୋଟି ସତ

ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା । ତୃତୀୟ ଥରରେ ଖେଳ ଖମତ କଲା ଗୋପାଳ । ଗୁଜରାଟର ଗାନ୍ଧିନଗର ଡିଏଫଏସରେ ଫେବ୍ରୁଆରୀ ୯ରୁ ୧୨ ତାରିଖ ଯାଏ ତାର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ହୋଇଥିଲା ।

କେନ୍ୟୁଜ୍(ବ୍ୟୁରୋ):  ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ପଲିଗ୍ରାଫ ଟେଷ୍ଟରେ ଗୋପାଳ କହିଛି ଗୋଟି ଗୋଟି ସତ । ପ୍ରତିଶୋଧ ନେବାକୁ ହତ୍ୟା । ପ୍ରିପ୍ଲାନ୍‌ଡ ମର୍ଡର । ମାସେ ପୂର୍ବରୁ ଲୋଡ୍‌ କରିଥିଲା ପିସ୍ତଲ । ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା । ତୃତୀୟ ଥରରେ ଖେଳ ଖତମ କଲା ଗୋପାଳ । ଗୁଜରାଟର ଗାନ୍ଧିନଗର ଡିଏଫଏସରେ ଫେବ୍ରୁଆରୀ ୯ରୁ ୧୨ ତାରିଖ ଯାଏ ତାର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ହୋଇଥିଲା । ପଲିଗ୍ରାଫ ଟେଷ୍ଟ ପୂର୍ବରୁ ପ୍ରି-ଟେଷ୍ଟରେ ନବ ଦାସଙ୍କୁ ହତ୍ୟାର ସବୁ କାରଣ କହିଛି । ଏବେ ଆସନ୍ତୁ ନଜର ପକାଇବା କେଉଁ ସମ୍ଭାବ୍ୟ କାରଣ ପାଇଁ ମର୍ଡର ପ୍ଲାନ୍‌ କରିଥିଲା ଗୋପାଳ ।

ମର୍ଡର ପ୍ଲାନର କାରଣ

ଝାରସୁଗୁଡ଼ା ବଡ଼ମାଳ ଥାନାରେ ଥିବା ବେଳେ ନବ ଦାସଙ୍କ ଲୋକ ବେଦାନ୍ତ କମ୍ପାନୀ ଭିତରେ ଝଗଡ଼ା କରିଥିଲେ । ସେମାନଙ୍କୁ ଥାନାକୁ ଆଣିବା ବେଳେ ଜଣେ ମଦ୍ୟମ ଖରାପ ଭାଷାରେ ଗାଳିଗୁଳଜ କରିଥିଲା । ପ୍ରଧାନ ସାର ମନା କରିବାକୁ ତାକୁ ମାଡ଼ ମାରି ନଥିଲା ଗୋପାଳ । ସେହିପରି ଗୋପାଳ କହିଛି, ୨୦୧୦ରେ ଖେରୱାଲରେ ଚେକିଂ ବେଳେ ଗୋଟିଏ ପିକଅପ ଗାଡ଼ିକୁ ଅଟକାଇଥିଲା । ସେହି ଗାଡ଼ିକୁ ଏସକର୍ଟ କରି ନେଉଥିଲା ଗାଡ଼ିକୁ ନବ ଦାସଙ୍କ ଆମ୍ବାସଡର । ଗାଡ଼ିରେ ଡିସପୋଭାନ୍‌ କାର୍ଟୁନ ଭିତରେ ଟଙ୍କା ଥିଲା । ନବଙ୍କ ପିଏସଓଙ୍କ ଇଙ୍ଗିତରେ ସେ ଗାଡ଼ି ଛାଡିଥିବା କହିଛି । ଏହାପରେ ଗୋପାଳର କୋଲାବିରା ଓ ପରେ ବ୍ରଜରାଜନଗର ଗାନ୍ଧି ଛକକୁ ବଦଳି ହୋଇଥିଲା । ଝାରସୁଗୁଡ଼ାର ମନୋଜ ବରିହା ନାମକ ଜଣେ ବ୍ୟକ୍ତିଙ୍କ କଥା ଶୁଣି ଡରି ଯାଇଥିଲା ଗୋପାଳ । ମନୋଜ ବରିହାଙ୍କ ଦୁଇ ଚାରି ପଦ କଥାରେ ଭୟଭୀତ ହୋଇ ନବ ଦାସଙ୍କୁ ମାରିବାକୁ ପ୍ଲାନ୍‌ କରିଥିଲା । ସେଦିନ ମନୋଜ କହିଥିଲା, ଦାଦା ମାନେ ନବ ଦାସ ଗୋପାଳ ତାଙ୍କ ଉପରେ ଖୁସି ନାହାନ୍ତି । ଜୀବନ ପ୍ରତି ବିପଦ ଓ ଭୟ ଅଛି । ଟିକେ ଜଗି ରଖି ଚଳିବ ବୋଲି କହିଥିଲେ ମନୋଜ । ଏକଥା ଶୁଣି ପ୍ରଥମ ଥର ପ୍ରବଳ ଡରି ଯାଇଥିଲା ଗୋପାଳ। ଟେନସନ୍‌ ହେବା ସହ ରାତିରେ ଶୋଇ ପାରୁ ନଥିଲା । ଏସବୁ ଘଟଣା ପରେ ନବ ଦାସଙ୍କୁ ମାରିବା ପାଇଁ ଯୋଜନା କରିଥିଲା ଗୋପାଳ । ନଭେମ୍ବର ମାସରେ ଭାଇ ସହ ଯାଇଥିଲା ସମ୍ବଲପୁର । ମାଆ ସମଲେଶ୍ୱରଙ୍କ ପାଖରେ ଲଣ୍ଡା ହେବା ସହ ନବଙ୍କୁ ହତ୍ୟା କରିବା ପାଇଁ ଶପଥ ନେଇଥିଲା ।

ମାସେ ପୂର୍ବରୁ ପିସ୍ତଲ ଲୋଡ୍‌

ଗୋପାଳ କହିଛି, ଜାନୁଆରୀ ୧୨ ଓ ୧୩ ତାରିଖରେ ତାଙ୍କ ବାସଭବନକୁ କିଛି ଲୋକଙ୍କୁ ପଠାଇଥିଲେ ନବ ଦାସ । ସେମାନେ ଘର କବାଟକୁ ଧକ୍କା ପକାଇବା ସହ ଦୁଆର ଆଗରେ ପରିସ୍ରା କରିଥିଲେ । ଏହି ଘଟଣା ସେମାନଙ୍କୁ ଭୟଭୀତ କରାଇଥିଲା । ଗୋପାଳ କହିଛି, ଜାନୁଆରୀ ୨୯ ପୂର୍ବରୁ ନବ ଦାସଙ୍କୁ ମାରିବା ପାଇଁ ଦୁଇ ଥର ଉଦ୍ୟମ କରିଥିଲା । ହତ୍ୟାର ମାସେ ପୂର୍ବରୁ ଡିସେମ୍ବର ୨୯ ଓ ୩୦ ତାରିଖରେ ପିସ୍ତଲରେ ଲୋଡ୍‌ କରିଥିଲା ଗୁଳି । ସୁଯୋଗ ଖୋଜୁଥିଲା । ଜାନୁଆରୀ ୨୯ରେ ସେହି ସୁଯୋଗ ମିଳିଥିଲା । ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସ କାର୍‌ରୁ ଓହ୍ଲାଇବା ବେଳେ ଗୁଳି ଚଳାଇଥିଲା ଗୋପାଳ । ରିଭଲଭର ବାହାର କରିବା କେହି ଦେଖି ନଥିଲେ । ନବଙ୍କ ଛାତିକୁ ଲକ୍ଷ୍ୟ କରି ପ୍ରଥମ ଗୁଳି ମାପିଥିଲା । ଲୋକଙ୍କୁ ଭୟଭୀତ କରିବାକୁ ଦ୍ୱିତୀୟ ଗୁଳି ଚଳାଇଥିଲା ଗୋପାଳ । ଯାହା କାର୍‌ ଡୋରରେ ବାଜିଥିଲା । ଆକାଶକୁ ମାରିଥିଲା ତୃତୀୟ ଗୁଳି ।

ହତ୍ୟା ପୂର୍ବରୁ ଖାଉ ନଥିଲା ମେଡିସିନ୍‌

ଗୋପାଳ କହିଛି, ମାନସିକ ରୋଗରେ ପୀଡ଼ିତ ହୋଇ ମେଡିସିନ୍‌ ଖାଉଥିଲା । କିନ୍ତୁ ନାବ ଦାସଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଛାଡି ଦେଇଥିଲା ମେଡିସିନ୍‌ ଖାଇବା । ହତ୍ୟାର ୩ ମାସ ଆଗରୁ ଆଉ ମେଡିସିନ୍‌ ଖାଉ ନଥିଲା । ଏପରିକି ମର୍ଡର ପ୍ଲାନ୍‌ ବାବଦରେ ପରିବାର, ସମ୍ପର୍କୀୟ କି ଅନ୍ୟ କାହାକୁ ପୂର୍ବରୁ କିଛି ଜଣାଇ ନଥିଲା ଗୋପାଳ । ଯେନତେନ ପ୍ରକାରେ ଯେକୌଣସି ଉପାୟରେ ନବ ଦାସଙ୍କୁ ମାରିବ ବୋଲି ପ୍ରତିଜ୍ଞା କରିଥିଲା ।

ଗୋପାଳକୁ ୨୬ ପ୍ରଶ୍ନ

ପଲିଗ୍ରାଫ ଟେଷ୍ଟରେ ଗୋପାଳକୁ ପଚରାଯାଇଥିଲା ୨୬ଟି ପ୍ରଶ୍ନ । ବିଶେଷଜ୍ଞ ପଚାରିଥିଲେ, ୨୦୧୦ରେ ଟଙ୍କା ଭର୍ତ୍ତି ଗାଡ଼ି ରୋକିବାରୁ ନବ ଦାସ ଖପ୍ପା ଥିଲେ କି ? ଉତ୍ତରରେ ହଁ କହିଥିଲା ଗୋପାଳ । ନବ ଦାସଙ୍କଠାରୁ ବଦଲା ନେବାକୁ ହତ୍ୟା ପ୍ଲାନ୍‌ କରିଥିଲ କି । ଗୋପାଳର ଉତ୍ତର ଥିଲା ହଁ । ସେହିପରି ବିଶେଷଜ୍ଞ ପଚାରିଥିଲେ, ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରିଲ କି । ନବ ଦାସ ମାରିଦେବେ ଭାବି ଭୟରେ ହତ୍ୟା କଲ କି ? ଗୋପାଳ ହଁ କରିଥିଲା । ସେହିପରି ଗାନ୍ଧିନଗର ଡିଏଫଏସ୍‌ ଅଧିକାରୀ ପ୍ରଶ୍ନ କରିଥିଲା ପୁତୁରା ଚାକିରି ନହେବାରୁ ହତ୍ୟା କଲ କି ? କାଜନେତାଙ୍କ ଚାପରେ ପଡ଼ି ନବଙ୍କ ଉପରେ ଚଳାଇଲେ କି ଗୁଳି ? ନକ୍ସଲଙ୍କ ସହ ମିଶି ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ କି ? ହତ୍ୟା ପାଇଁ ଉସୁକାଇଥିଲେ କି କୌଣସି ବରିଷ୍ଠ ଅଧିକାରୀ କି ଅନ୍ୟ କେହି ? ନବ ଦାସ ହତ୍ୟା ପାଇଁ କେବେ ଧମକାଇଥିଲେ କି ? ଏସବୁ ପ୍ରଶ୍ନର ଉତ୍ତର ନାଁରେ ଦେଇଥିଲା ଗୋପାଳ । ନବ ଦାସଙ୍କ ପଟରୁ ଜୀବନ ପ୍ରତି ବିପଦ ଥିବା ମନୋଜ ବରିହା କହିବା ପରେ ଭୟଭୀତ ହୋଇ ଗୋପାଳ ପ୍ରି-ପ୍ଲାନଡ ହତ୍ୟା କରିଥିବା ପଲିଗ୍ରାଫ ରିପୋର୍ଟରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.