ହାତର ହାତ ମିଶାଇଲେ ଜର୍ଜ ତିର୍କୀ

ଭୁବନେଶ୍ବର (କେନ୍ୟୁଜ୍) : ହାତର ସାଥି ହେଲେ ବୀରମିତ୍ରପୁରର ବିଧାୟକ ଜର୍ଜ ତିର୍କୀ । ଆଜି କଂଗ୍ରେସରେ ସେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି ଜର୍ଜ ତିର୍କୀ ।

କୁହାଯାଉଛି, ଆସନ୍ତା ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ କଂଗ୍ରେସର ଆଦିବାସୀ କାର୍ଡ ହେବେ ଜର୍ଜ ତିର୍କୀ । ତାଙ୍କୁ ଲୋକସଭା ପ୍ରାର୍ଥୀ କରିପାରେ କଂଗ୍ରେସ । ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ନେତା ଭାବରେ ବେଶ ଜଣଶୁଣା ଜର୍ଜ ତିର୍କୀ । ଚାରି ଚାରି ଥର ବିଧାୟକ ।

୧୯୯୫ରେ ପ୍ରଥମେ ବୀରମିତ୍ରପୁର ଆସନରୁ ଜେଏମ୍‌ଏମ୍ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୦୦ ମସିହାରେ ଲଗାତାର ଦ୍ୱିତୀୟ ଥର ଯାଇଥିଲେ ବିଧାନସଭା । ଏହାପରେ ୨୦୦୨ରେ ବିଜେଡିରେ ଯୋଗ ଦେଇଥିଲେ ଜର୍ଜ ତିର୍କୀ । ୨୦୦୪ରେ ବିଜେଡି ତାଙ୍କୁ ଟିକେଟ ନଦେବାରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ସୁନ୍ଦରଗଡ଼ ଲୋକସଭା ଓ ବୀରମିତ୍ରପୁର ବିଧାନସଭାରୁ ନିର୍ବାଚନ ଲଢ଼ି ହାରିଥିଲେ ।

ପରେ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ତୃତୀୟ ଥର ବିଧାନସଭାକୁ ଯାଇଥିଲେ ଜର୍ଜ ତିର୍କୀ । ୨୦୧୪ରେ ସମତାକ୍ରାନ୍ତି ଦଳରୁ ପୁନର୍ବାର ବୀରମିତ୍ରପୁର ଆସନରୁ ବିଜୟୀ ହୋଇଥିଲେ । ଚାରି ଚାରି ଥର ବିଧାୟକ ଥିବା ଜର୍ଜ ତିର୍କୀ ଏବେ କଂଗ୍ରେସ କ୍ୟାମ୍ପରେ ନିଜକୁ ସାମିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.