ଭୁବନେଶ୍ୱରର ବିମାନ ବନ୍ଦରରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଦେଶ ପାଇଁ ଲଢ଼ିବାକୁ ଯାଇଥିଲେ । ସହିଦ ହୋଇ ଫେରିଲେ । ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । । ଭୁବନେଶ୍ୱରର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର (କେନ୍ୟୁଜ): ଦେଶ ପାଇଁ ଲଢ଼ିବାକୁ ଯାଇଥିଲେ । ସହିଦ ହୋଇ ଫେରିଲେ । ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର । ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେନା ପକ୍ଷରୁ ମଧ୍ୟ ସହିଦ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିମାନ ବନ୍ଦରରେ ଗୃହରାଷ୍ଟ୍ର ମନ୍ତ୍ରୀ ଓ ମେୟର ଉପସ୍ଥିତ ଥିଲେ । ଗୃହରାଷ୍ଟ୍ର ମନ୍ତ୍ରୀ ଓ ମେୟର ଜଣାଇଲେ ଶ୍ରଦ୍ଧାଞ୍ଜଳି।

ଏଥିସହିତ ସହିଦ ଦେବାଶିଷଙ୍କ ଧର୍ମପତ୍ନୀ ମଧ୍ୟ ଜଣାଇଲେ ଶ୍ରଦ୍ଧାଞ୍ଜଳି । ମାତ୍ର ବାହାଘର ହୋଇଥିଲା ଦୁଇ ବର୍ଷର । ପୁଣି ରହିଛି କୋଳରେ ତାଙ୍କର ୪ ମାସର ପିଲାଟିଏ । ସ୍ୱାମୀଙ୍କୁ ହରାଇ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି ପତ୍ନୀ । ତଥାପି ସାହସ ଦେଖାଇ ଆସିଥିଲେ ଭୁବନେଶ୍ୱର ବିମାନ ବନ୍ଦରକୁ । ଶେଷଥର ପାଇଁ ନିଜ ଜୀବନସାଥୀଙ୍କୁ ଦର୍ଶନ କରିବା ସହ। ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ।

ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପୁଞ୍ଚ୍‌ରେ ଗୁରୁବାର ସେନା ଗାଡ଼ିରେ ଯାଉଥିବା ବେଳେ ଆତଙ୍କୀ ହମ୍‌ଲାରେ ରାଷ୍ଟ୍ରୀୟ ରାଇଫଲ୍‌ସର ୫ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ପଞ୍ଜାବର ଥିବା ବେଳେ ସହିଦ ହୋଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅଳଗୁମର ଯବାନ ଦେବାଶିଷ । ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍‌ସରେ ୨୦୧୩ ମସିହାରେ ନିଯୁକ୍ତି ପାଇଥିଲେ । ଆତଙ୍କବାଦୀ ହମ୍‌ଲାରେ ତାଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା । ସହିଦ ଦେବାଶିଷ ସ୍ମୃତିକୁ ମନେ ପକାଇ ସମସ୍ତେ ଝୁରୁଛନ୍ତି । ପୁଅକୁ ହରାଇ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି । ପରିବାର, ସଂପର୍କୀୟଙ୍କ ସହ ପୂରା ଗାଁ ସ୍ତବଧ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.